Categories: ଜାତୀୟ

ଲୋକ ସଭା, ବିଧାନସଭାରେ ଆଉ ୧୦ ବର୍ଷ ବଢ଼ିବ ସଂରକ୍ଷଣ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ଲାଗି ସଂରକ୍ଷଣ ସୁବିଧା ଆଉ ୧୦ ବର୍ଷ ବଢ଼ାଇବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଲୋକ ସଭା ଓ ବିଧାନସଭାଗୁଡ଼ିକରେ ଏସ୍‌ସି/ଏସ୍‌ଟିଙ୍କ ଲାଗି ସଂରକ୍ଷଣ ସମୟସୀମା ୨୦୨୦ ଜାନୁୟାରୀ ୨୫ ରହିଛି। ଏହାକୁ ୨୦୩୦ ଜାନୁୟାରୀ ୨୫ ପର୍ଯ୍ୟନ୍ତ ବଢ଼ାଇବା ଲାଗି ସରକାର ଶୀତ ଅଧିବେଶନରେ ବିଲ୍‌ ଆଣିବେ। ତେବେ ଆଙ୍ଗ୍ଲୋ-ଇଣ୍ଡିଆନ୍‌ଙ୍କୁ ଏହି ସୁବିଧା ଆଉ ମିଳିବ ନାହିଁ। ଏହି ସମ୍ପ୍ରଦାୟ ଭଲ ସ୍ଥିତିରେ ଥିତ୍ବାରୁ ବ୍ୟବସ୍ଥାପିକାରେ ସେମାନଙ୍କ ଲାଗି ସଂରକ୍ଷଣର ଆବଶ୍ୟକତା ନ ଥିବା ସରକାର ଅନୁଭବ କରୁଛନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ଯଦି ଆବଶ୍ୟକ ପଡେ ତେବେ ପରେ ଏହାକୁ ବିଚାର କରାଯାଇପାରିବ। ବର୍ତ୍ତମାନ ପାର୍ଲାମେଣ୍ଟରେ ଅନୁସୂଚିତ ଜାତିରୁ ୮୪ ଏବଂ ଅନୁସୂଚିତ ଜନଜାତିରୁ ୪୭ ଜଣ ସଦସ୍ୟ ଅଛନ୍ତି। ସେହିପରି ରାଜ୍ୟ ବିଧାନସଭାଗୁଡ଼ିକରେ ୬୧୪ ଏସ୍‌ସି ଓ ୫୫୪ ଏସ୍‌ଟି ସଦସ୍ୟ ଥିବା ଜଣାପଡିଛି।

Share