ଲୋକସେବା ଭବନରେ ଦିବ୍ୟାଙ୍ଗ ଓ ବରିଷ୍ଠଙ୍କ ପାଇଁ ସ୍ବତନ୍ତ୍ର ଯାନ ଲୋକାର୍ପିତ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଲୋକସେବା ଭବନକୁ ପ୍ରତିଦିନ କାର୍ଯ୍ୟୋପଲକ୍ଷେ ବିଭିନ୍ନ ସ୍ଥାନରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁଗମ ଯାତାୟାତ ନିମନ୍ତେ ଏକ ସ୍ବତନ୍ତ୍ର ଯାନର ବ୍ୟବସ୍ଥା କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁକ୍ରବାର ଲୋକସେବା ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଯାନର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକରେ ଏପରି ସ୍ବତନ୍ତ୍ର ଯାନ ରଖାଯିବା ପାଇଁ ଉଦ୍ୟମ କରାଯିବ। ରାଜ୍ୟର ୫୮ ଉପଖଣ୍ଡ ସଦର ମହକୁମାରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଡେ’ କେୟାର ସେଣ୍ଟର ପ୍ରତିଷ୍ଠା କରିବାର ଯୋଜନା ହାତକୁ ନିଆଯିବା କଥା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସୂଚନା ଥାଉ କି, ଉକ୍ତ ଯାନରେ ଚାଳକଙ୍କ ବ୍ୟତୀତ ୪ଜଣ ବସି ପାରିବେ। ପରିବେଶ ଅନୁକୂଳ ବ୍ୟାଟେରିଚାଳିତ ଏହି ଯାନର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ। ଫେଡେରାଲ ବ୍ୟାଙ୍କ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ହରମିସ୍‌ ମେମୋରିଆଲ ଫାଉଣ୍ଡେଶନ ଆନୁକୂଲ୍ୟରେ ଏହି ସ୍ବତନ୍ତ୍ର ଯାନ ଯୋଗାଇ ଦିଆଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ, ଫେଡେରାଲ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ କୈଳାସ ଚନ୍ଦ୍ର ଦାସ ଓ ବ୍ୟାଙ୍କ ଶାଖା ମୁଖ୍ୟ ରାକେଶ କୁମାରଙ୍କ ସମେତ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।