ଲୋକଙ୍କୁ କଟକଣା, ବାବୁଙ୍କୁ ଢିଲା

ଅନୁଗୋଳ ଅଫିସ, ୨୦।୪: ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌ କଟକଣା କଡ଼ାକଡ଼ି କରାଯାଇଛି। ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସଚେତନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜିଲା ବାହାରୁ କେହି ଆସିଲେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। ଆବଶ୍ୟକ ପଡ଼ିଲେ ନିୟମ ଉଲ୍ଲଂଘନକାରୀଙ୍କୁ ଗିରଫ ମଧ୍ୟ କରାଯାଉଛି। ଲୋକଙ୍କ ପାଇଁ କଟକଣାକୁ ଏପରି କଡ଼ାକଡ଼ି କରିଥିବା ପ୍ରଶାସନ ଓ ପୋଲିସ ଅନୁଗୋଳର ଅନେକ ବାବୁଙ୍କ କ୍ଷେତ୍ରରେ କିନ୍ତୁ ଢିଲା ମନୋଭାବ ଦେଖାଉଥିବା ଅଭିଯୋଗ ହେଉଛି। କାରଣ ଭୁବନେଶ୍ୱର ପ୍ରୀତି ଛାଡ଼ିପାରୁ ନ ଥିବା କେତେଜଣ ସରକାରୀ ଅଧିକାରୀ କୌଶଳକ୍ରମେ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଘରକୁ ଯାଇ ସକାଳେ ପୁଣି ଅନୁଗୋଳ କାର୍ଯ୍ୟାଳୟକୁ ଫେରି ଆସୁଥିଲେ ବି ପ୍ରଶାସନ ଚୁପ୍‌ ବସିଥିବା ଚର୍ଚ୍ଚା ହେଉଛି।
ଭୁବନେଶ୍ୱର ଏବେ କରୋନା ହଟ୍‌ସ୍ପଟ୍‌। ତେଣୁ ସେଠାରୁ କୌଣସି ଲୋକ ଅନୁଗୋଳ ଆସିଲେ କ୍ବାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରିଛି ଜିଲା ପ୍ରଶାସନ। କିନ୍ତୁ ଏହାର ଠିକ୍‌ ଓଲଟା ଚିତ୍ର ଦେଖିବାକୁ ମିଳୁଛି କେତେଜଣ ସରକାରୀ ବାବୁଙ୍କ କ୍ଷେତ୍ରରେ। କେଉଁ ଅଧିକାରୀ ହେଡକ୍ୱାର୍ଟର ଛାଡ଼ି କେତେବେଳେ କେଉଁଆଡ଼େ ଯାଉଛନ୍ତି ତାହା ଉପରିସ୍ଥ ଅଧିକାରୀଙ୍କୁ ଜଣାପଡ଼ୁ ନାହିଁ। ଏହାର ସୁଯୋଗ ନେଇ ସନ୍ଧ୍ୟାରେ କେତେଜଣ ବାବୁ ଭୁବନେଶ୍ୱର ଯାଇ ସକାଳେ ଅନୁଗୋଳ ଅଫିସକୁ ଫେରୁଛନ୍ତି। ଦୀର୍ଘଦିନ ଧରି ଏପରି ଲୁଚାଛପା ଯାତାୟାତ ଚାଲୁ ରହିଥିଲେ ମଧ୍ୟ କହିବାକୁ କେହିନାହିଁ। ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ସବୁ ଜାଣି ବି କେଉଁ ସ୍ବାର୍ଥରେ ସେମାନଙ୍କୁ ନୀରବ ସମର୍ଥନ ଦେଉଛନ୍ତି ତାହା ସାଧାରଣରେ ବୁଝାପଡ଼ୁ ନାହିଁ। ଜିଲାରେ କରୋନାର ନୋଡାଲ ଅଧିକାରୀ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଅତୁଲ୍ୟ କୁମାର ଚମ୍ପତ୍ତିରାୟଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିକଟରେ ଭୁବନେଶ୍ୱରରେ ପ୍ରାୟ ୫ରୁ ୬ ଦିନ ରହିବା ପରେ କାର୍ଯ୍ୟାଳୟକୁ ଫେରିଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ଭୁବନେଶ୍ୱରରେ ଦୁଇ ଦିନ ରହି ଅନୁଗୋଳରୁ ସ୍ବାବ୍‌ ନେଇ ଯାଉଥିବା ଗାଡ଼ିରେ ଆସି ମେଡିକାଲରେ ଡ୍ୟୁଟି କରୁଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ସରକାରୀ ବାବୁମାନେ ଏପରି କରୁଥିବା ନେଇ ଅବଗତ ନାହିଁ। ଯଦି ଏମିତି କିଛି ହେଉଥାଏ ସେଥିରେ ରୋକ୍‌ ଲଗାଯିବ।