ଲୋଇସିଂହା ଛକରେ ଓହ୍ଲାଇ ଗାଇସିଲଟର ୨୧ ପ୍ରବାସୀ ହଟହଟା

ଲୋଇସିଂହା,୧୫।୫(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛକରେ ବରଗଡ଼ ଜିଲା ଗାଇସିଲଟ ବ୍ଲକର ୨୧ ଜଣ ପ୍ରବାସୀଙ୍କୁ ଗୋଟିଏ ବସ ଶୁକ୍ରବାର ସାରେ ଛାଡ଼ି ବରଗଡ଼ ଅଭିମୁଖେ ଚାଲିଯାଇଥିଲା। ଗାଇସିଲଟ ବ୍ଲକ ପ୍ରଶାସନ ଏମାନଙ୍କୁ ନେବା ପାଇଁ ଆଗୁଆ ଗାଡ଼ି ବ୍ୟବସ୍ଥା କରି ନ ଥିବାରୁ ଲୋଇସିଂହାରେ ଓହ୍ଲାଇ ଦାଦନ ଶ୍ରମିକମାନେ ହଟହଟା ହୋଇଛନ୍ତି। ଏମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ। ପରେ ଗାଇସିଲଟରୁ ଗାଡି ଆସିବା ପର୍ଯ୍ୟନ୍ତ ସେମାନେ ଲୋଇସିଂହା ବ୍ଲକ ପରିସରରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ତାମିଲନାଡୁ ତ୍ରିପୁରରେ କାମ କରୁଥିବା କେତେକ ଦାଦନ ଶୁକ୍ରବାର ବଲାଙ୍ଗୀର ଫେରିଥିଲେ। ସାରେ ସେମାନଙ୍କୁ ଧରି ଗୋଟିଏ ବସ୍‌ ବରଗଡ଼ ଅଭିମୁଖେ ବାହାରିଥିଲା। ଏଥିରେ ଲୋଇସିଂହା ବ୍ଲକ ସୀମାନ୍ତ ଗାଇସିଲାଟ ବ୍ଳକର ୨୧ଜଣ ରହିଥିଲେ। ସେମାନେ ଲୋଇସିଂହା ବ୍ଲକ ଛକରେ ଓହ୍ଲାଇ ଥିଲେ। ସ୍ଥାନୀୟ ବ୍ଲକ ତଥା ପୋଲିସ ପ୍ରଶାସନ ଏ ଦିଗରେ କୋଣସି ସୂଚନା ଦେଇ ନ ଥିଲେ । ବାହାର ଫେରନ୍ତା ଦାଦନଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଥିଲେ। ଦାଦନ ଫେରନ୍ତା ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ବ୍ଲକ ପରିସରକୁ ଯାଇ ସେଠାକାର ପ୍ରଶାସନ ଗାଡି ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବ୍ଲକ ପରିସରରେ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି ।