Categories: ଗଞ୍ଜାମ

ଲେପ୍ରୋସି କଲୋନୀରେ ପଙ୍ଖା ବଣ୍ଟନ

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଫନୀ ପରେ ଭଞ୍ଜନଗରରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ଭଞ୍ଜନଗରରେ ତାପମାତ୍ରା ସର୍ବାଧିକ ୪୨ ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ୨୬ ଡ଼ିଗ୍ରୀ ରହିଥିଲା। ଅସହ୍ୟ ଗରମ ଯୋଗୁ ରାସ୍ତାଘାଟ ପୂର୍ବାହ୍ନ ୧୧ଟାରୁ ଶୂନ୍‌ଶାନ ହୋଇଯାଇଥିଲା। ବିଦ୍ୟୁତ୍‌ ସେବା ଥିଲେ ମଧ୍ୟ ପଙ୍ଖା ସୁବିଧା ନଥାଇ ଗରମରେ ରହୁଥିବା ଲେପ୍ରୋସି କଲୋନୀର ୨୦ ଗରିବ ପରିବାରକୁ ଭଞ୍ଜନଗର ଆନ୍ଧ୍ରବ୍ୟାଙ୍କ ଓ ରୋଟାରୀ କ୍ଲବ ସହଯୋଗର ହାତ ବଢ଼ାଇଛି। ଶନିବାର ସନ୍ଧ୍ୟାରେ ସମସ୍ତ ପରିବାରକୁ ଗୋଟିଏ ଲେଖାଏଁ ପଙ୍ଖା ବଣ୍ଟନ କରାଯାଇଥିଲା। ଆନ୍ଧ୍ରବ୍ୟାଙ୍କ ଶାଖା ପରିଚାଳକ ଅଜୟ କୁମାର ଗୁପ୍ତା, ରୋଟାରୀ କ୍ଲବ ସଭାପତି ରବୀନ୍ଦ୍ର ପାଣିଗ୍ରାହୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ପଙ୍ଖା ବଣ୍ଟନ ସମୟରେ ଦିବ୍ୟ ଜୀବନ ସଂଘର ଉପଦେଷ୍ଟା ମହେଶ୍ୱର ତ୍ରିପାଠୀ, ସାମାଜିକକର୍ମୀ ଶୁଳପାଣି ଶତପଥୀ, ରୋଟାରୀ କ୍ଲବ ସମ୍ପାଦକ ବସନ୍ତ ପାତ୍ର, ପଞ୍ଚାନନ ମିଶ୍ର, ଶ୍ରୀରାମ ପାଳ, ସୁଶାନ୍ତ ସାହୁ, ମନୁ ସାହୁ, ସୁଧିର ପାଣିଗ୍ରାହୀ, ବିଶ୍ୱଜିତ୍‌ ପୃଷ୍ଟି, ପଦ୍ମନାଭ ପ୍ରଧାନ, ପ୍ରଦ୍ୟୁମ୍ନ ମଳିକ, ରଞ୍ଜିତ ବାରିକ, କଳ୍ପତରୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ୨୬ ମାର୍ଚ୍ଚ ୧୯୮୬ରେ ବିଶ୍ୱ ଦିବ୍ୟ ଜୀବନ ସଂଘ ସଭାପତି ପରମପୂଜ୍ୟ ସ୍ବାମୀ ଚିଦାନନ୍ଦ ମହାରାଜ ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ଡ଼ହ ରାସ୍ତାରେ ୫ ଏକର ଜମିରେ ଲେପ୍ରୋସି କଲୋନୀ ସ୍ଥାପନ ହୋଇଥିଲା। ଲକ୍ଷ୍ୟ ଥିଲା ଲୋପ୍ରୋସିରେ ଆକ୍ରାନ୍ତ ଲୋକଙ୍କୁ ସେଠାରେ ଥଇଥାନ କରି ସୁସ୍ଥ କରିବା। ବହୁବର୍ଷ ପୂର୍ବେ ନିର୍ମାଣ ହୋଇଥିବା କୋଠା ଗୁଡ଼ିକ ଫାଇଲିନ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେଣୁ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ୨୦ଟି ପରିବାରକୁ ଗୋଟିଏ ଗୋଟିଏ ନୂଆ ଘର ଯୋଗାଇ ଦିଆଯାଇଥିଲା। ବିଦ୍ୟୁତ୍‌, ପାଣି ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ ଭତ୍ତା, ଚାଉଳ ସୁବିଧା ମିଳୁଛି କିଛି ଲୋକଙ୍କୁ। ଆଉ କିଛି ଲୋକଙ୍କୁ ଆବଶ୍ୟକ କାଗଜପତ୍ର ନଥିବା ଯୋଗୁ ଏହି ସୁବିଧା ମିଳିନାହିଁ। ବର୍ତ୍ତମାନ ଦିବ୍ୟ ଜୀବନ ସଂଘ ପକ୍ଷରୁ ଜଣଙ୍କୁ ଦୌନନ୍ଦିନ ୬୦ ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଉଛି। ତଥାପି ସେମାନଙ୍କ କିଛି ସମସ୍ୟା ଏବେବି ରହିଛି। ଏନେଇ ସେମାନେ ଉପସ୍ଥିତ ରୋଟାରୀ କ୍ଲବ ଓ ଆନ୍ଧ୍ରବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଅଞ୍ଚଳବାସୀ ଓ ପ୍ରଶାସନର ସହଯୋଗରେ ସେସବୁ ପୁରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କର୍ମକର୍ତ୍ତାମାନେ ପ୍ରତିଶୃତି ଦେଇଥିଲେ।