ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର ଦୋକାନରୁ ଲୁଟ୍‌ ଉଦ୍ୟମ ମାମଲାରେ ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅନ୍ୟଜଣେ ଯୁବକ ସେଖ୍‌ ଅଫସର ମଧ୍ୟ ଗିରଫ ହୋଇଛନ୍ତି।
କିଛି ବର୍ଷ ହେବ ସହରରେ ସୟିଦ ଓ ସଦାମଙ୍କ ଉତ୍ପାତ ବଢ଼ିବାରେ ଲାଗିଥିଲା। ଲାଲବାଗ, ମଧୁପାଟଣା, ବାଦାମବାଡ଼ି, ଦରଘାବଜାର, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମର୍କତନଗର ଥାନାରେ ଉଭୟଙ୍କ ନାଁରେ ଏକାଧିକ ମାମଲା ରହିଛି। ଗତ ସୋମବାର ଅପରାହ୍ନରେ ସେମାନେ ବାଲୁବଜାରସ୍ଥିତ ଶ୍ରୀସାଇ ଅଳଙ୍କାର ଦୋକାନରେ ପହଞ୍ଚତ୍ ମାଲିକ ପ୍ରଶାନ୍ତ ସାହାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ନଚେତ ତାଙ୍କ ସହ ପରିବାର ସଦସ୍ୟଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଟଙ୍କା ନ ପାଇବାରୁ ଦୋକାନରେ ଥିବା ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଖସିଯିବା ବେଳେ ପ୍ରଶାନ୍ତ ଚିତ୍କାର କରିଥିଲେ। ଲୋକେ ପହଞ୍ଚତ୍ୟିବାରୁ ସୟିଦ, ସଦାମ ଓ ସେଖ୍‌ ସ୍କୁଟି (ଓଡି-୦୫-ଏଟି-୫୪୩୬) ଓ ସୁନା ଅଳଙ୍କାର ଛାଡ଼ି ଫେରାର ହୋଇଯାଇଥିଲେ। ପ୍ରଶାନ୍ତଙ୍କ ଅଭିଯୋଗ ପରେ ପୋଲିସ ଦୋକାନର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୦୧୧ରେ ସଦାମ ଓ ତାଙ୍କ ସହଯୋଗୀ ପ୍ରଶାନ୍ତଙ୍କ ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବାପାଙ୍କୁ ଧମକ ଦେଇଥିଲେ। ଏ ନେଇ ଲାଲବାଗ ଥାନାରେ ଏତଲା ରହିଛି।