ଲୁଟେରା ଗ୍ୟାଙ୍ଗ୍‌କୁ କାବୁକଲା ପୋଲିସ

ଅନୁଗୋଳ ଅଫିସ, ୨୧।୪

ଅନୁଗୋଳ ସହର ହେମସୁରପଡ଼ା ଦୁର୍ଗା ମଣ୍ଡପ ପଛରେ ଲୁଟ୍‌ ଯୋଜନା ଚାଲିଥିବାବେଳେ ଅନୁଗୋଳ ପୋଲିସ ଚଢ଼ାଉ କରି ଗ୍ୟାଙ୍ଗର ସର୍ଦ୍ଦାର ଛେଳିଆପଡ଼ାର ବୁବୁ ଓରଫ୍‌ ଭବାନୀଶଙ୍କର ଭଞ୍ଜ(୨୫) ଓ ଶୁକୁଆସାହିର ସେକ୍‌ ଆବିଦ(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଡି୦୨ଏଏମ୍‌-୬୪୮୯), ବାଇକ୍‌ (ନଂ. ଓଡି୧୯ଜେ-୨୬୭୦), ଦେଶୀ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହା ପାଇପ ଆଦି ଜବତ କରାଯାଇଛି। ତଦନ୍ତକାରୀ ଅଧିକାରୀ ବିପ୍ଳବ ସାହୁ ଅଧିକ ଖୋଳତାଡ଼ ଚଳାଇଛନ୍ତି। ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଖୋଜା ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଏଏସ୍‌ଆଇ ପ୍ରଶାନ୍ତ ସାହୁ, ବୁଦ୍ଧିମାନ ସେଠୀ, ଦିଲୀପ ସାହୁ, ଅଜିତ ନାଏକ, ବିଭୂତି ନାଏକ, ସରୋଜ ରୋଶନ ଲାକ୍ରା ପ୍ରମୁଖ ସାମିଲ ଥିଲେ।