ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିମନ୍ତେ କାଠ ଅନୁକୂଳ

ଖଣ୍ଡପଡ଼ା,୫ା୩(ସ୍ବ.ପ୍ର.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନିମନ୍ତେ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡପଡ଼ାଠାରେ ବୁଧବାର ସନ୍ଧ୍ୟାରେ କାଠ ଅନୁକୂଳ ଅନୁଷ୍ଠିତ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିର ୧ନଂ. ୱାର୍ଡ ଟିଙ୍କଚୁଆ ଗ୍ରାମ ନିକଟରୁ ସ୍ଥାନୀୟ ବନ ବିଭାଗ ସହାୟତାରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଆମ୍ବଗଛଗୁଡିକୁ ଚିହ୍ନଟ କରାଯାଇଥିଲା। ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା, ତହସିଲଦାର ପାର୍ଥସାରଥି ହାଁସଦା, ବନପାଳ ଶ୍ରୀନିବାସ ଦାଶ ଓ ଶ୍ରୀନିବାସ ମହାପାତ୍ରଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ହେମନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବକାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୩ଟି ଆମ୍ବଗଛକୁ ଟ୍ରକ୍‌ରେ ଲଦାଯାଇ ଭୁବନେଶ୍ୱର ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ତିନୋଟି ଆମ୍ବକାଠ ଗଣ୍ଡି ପଠାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ୮ଟି ଆମ୍ବ ଗଣ୍ଡି ପଠାଯିବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡାଙ୍କଠାରୁ ପ୍ରକାଶ। ସୂଚନାଯୋଗ୍ୟ ରାଜାରାଜୁଡା ଅମଳରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣାରଥ ନିର୍ମାଣ ନିମନ୍ତେ କାଠଗଣ୍ଡି ଖଣ୍ଡପଡା ଅଞ୍ଚଳରୁ ପଠାଯାଉଛି।