ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ ନେଇଥିବାବେଳେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଛକାପଞ୍ଛା ଚାଲିଛି। ତେବେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶ୍ରୀକ୍ଷେତ୍ର ଗସ୍ତକୁ କେତେକ ହିନ୍ଦୁତ୍ୱବାଦୀ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସିଏଏ ଓ ହିନ୍ଦୁତ୍ୱ ବିରୋଧୀ ମମତା ଗୋ ବ୍ୟାକ୍‌ ବୋଲି କିଛି ସ୍ଥାନରେ ପୋଷ୍ଟର ଲାଗିଛି। ଏହି ପୋଷ୍ଟରରେ ମମତାଙ୍କୁ ହିନ୍ଦୁତ୍ୱ ବିରୋଧୀ ବୋଲି ଚିତ୍ରିତ କରାଯାଇଛି। କିଛି ସ୍ଥାନରେ ଲାଗିଥିବା ଏହି ପୋଷ୍ଟରରେ ରାଷ୍ଟ୍ରବାଦୀ ହିନ୍ଦୁତ୍ୱ ସଙ୍ଗଠନ ଏବଂ ଆଉ କେତେକ ପୋଷ୍ଟରରେ ଜୟ ଶ୍ରୀରାମ ବୋଲି ଲେଖାଯାଇଛି। ଅନ୍ୟପଟେ ମମତାଙ୍କ ଶ୍ରୀମନ୍ଦିର ଗସ୍ତବେଳେ କୌଣସି ଅଘଟଣର ଆଶଙ୍କା କରି ପୁରୀ ପୋଲିସ ବଜରଙ୍ଗ ଦଳର କେତେଜଣ କର୍ମକର୍ତ୍ତାଙ୍କୁ ଘରୁ ଉଠାଇ ନେଇ ବଳିଆପଣ୍ଡା ଥାନାରେ ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୯ରେ ମମତାଙ୍କ ଶ୍ରୀମନ୍ଦିର ଦର୍ଶନ ବେଳେ ବଜରଙ୍ଗ ଦଳର କେତେଜଣ କର୍ମକର୍ତ୍ତା ମମତାଙ୍କୁ କଳାପତାକା ଦେଖାଇଥିଲେ।