ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ ଉପଦ୍ରବ ପୁଣି ବଢ଼ିଛି। ତେବେ ଲୋକେ ଅଳିଆ ଆବର୍ଜନା ବାହାରେ ନ ଫୋପାଡ଼ି ଡଷ୍ଟବିନ୍‌ରେ ପକାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଡଷ୍ଟବିନ୍‌ ସ୍ଥାପନ ପାଇଁ ଷ୍ଟାଣ୍ଡ ପୋତାଯାଉଥିବାବେଳେ ଏଥିରେ ଡଷ୍ଟବିନ୍‌ଗୁଡ଼ିକ ଝୁଲି ରହିବ ବୋଲି ଏନ୍‌ଏସି ପକ୍ଷରୁ କୁହାଯାଉଛି। ହେଲେ ଏହି ଷ୍ଟାଣ୍ଡଗୁଡ଼ିକ ଅତି ହାଲୁକା ହୋଇଥିବାବେଳେ ଏଗୁଡ଼ିକ ଅଳିଆ ଡଷ୍ଟବିନ୍‌ର ଓଜନ ସମ୍ଭାଳିବା ପାଇଁ ଅନୁପଯୁକ୍ତ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ପ୍ରାୟ ୩ ଇଞ୍ଚ ଖୋଳି ଏହି ଷ୍ଟାଣ୍ଡ ପୋତି ନିମ୍ନମାନର କାମ କରାଯାଉଥିବା ସେମାନେ କହିଛନ୍ତି। ଏ ବିଷୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, ଯଦି ଲୋକେ ଅଭିଯୋଗ କରୁଛନ୍ତି ତେବେ କାମ ଠିକ୍‌ାଭାବେ ହେଉଛି କି ନାହିଁ ଦିନେ ଦୁଇଦିନ ମଧ୍ୟରେ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ୧୧ନମ୍ବର ଓ୍ବାର୍ଡ ଷ୍ଟେଟ୍‌ବ୍ୟାଙ୍କ୍‌ ଛକ ସାହିରେ ପୂର୍ବରୁ ଡଷ୍ଟବିନ୍‌ ନ ଥିବାବେଳେ ଏବେ ମଧ୍ୟ ନାହିଁ। ଫଳରେ ଲୋକେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇ ଏ ନେଇ ଜଣାଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଡଷ୍ଟବିନ୍‌ କାହିଁକି ମିଳିବନି ବୋଲି ପଚାରିଲେ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରି କହିବି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହୁଛନ୍ତି। ତେବେ ସ୍ବଚ୍ଛତା ତଥା ବିକାଶମୂଳକ କାର୍ଯ୍ୟରେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ସମ୍ପର୍କ କ’ଣ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଏସି ଏବେ ସିଧାସଳଖ ପ୍ରଶାସନ ଅଧୀନରେ ରହିଥିବାବେଳେ ଏଭଳି କାର୍ଯ୍ୟ ନେଇ ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।