Categories: ଖେଳ

ଲଢ଼େଇ କରି ହାରିଲା ଭାରତ

ଲଢ଼େଇ କରି ହାରିଲା ଭାରତ
ସିଡ୍‌ନୀ,୮।୧୨- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌କୁ ଆଗୁଆ ଜିତିସାରିଥିବା ଭାରତୀୟ ଦଳ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ପରାସ୍ତ ହୋଇଛି। ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୨ ରନ୍‌ରେ ବିଜୟ ହାସଲ କରିଛି। ଏଭଳି ଫଳାଫଳ ସତ୍ତ୍ୱେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏହି ପରାଜୟ ସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର କ୍ରମାଗତ ବିଜୟ ଧାରାରେ ବ୍ରେକ୍‌ ଲାଗିଛି। ବିରାଟ ବାହିନୀ କ୍ରିକେଟର ସବୁଠୁ ଛୋଟିଆ ଫର୍ମାଟରେ କ୍ରମାଗତ ୯ ମ୍ୟାଚ୍‌ ଜିତିଥିଲା।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ୍‌ କରିଥିଲା। ଦଳ ପାଇଁ ଫର୍ମରେ ଥିବା ମାଥ୍ୟୁ ଓ୍ବେଡ୍‌ ୮୦(୭ ଚୌକା ଓ ୨ ଛକା) ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୫୪ (୩ ଲେଖାଏ ଛକା ଓ ଚୌକା) ରନ୍‌ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ଓ୍ବାଶିଂଟନ ସୁନ୍ଦର ୨ ଉଇକେଟ ନେଇଥିବାବେଳେ ଟି. ନଟରାଜନ ଓ ଶାର୍ଦ୍ଦୁଳ ଠାକୁର ହାତେଇଥିଲେ ଗୋଟିଏ ଲେଖାଏ ସଫଳତା। ୧୮୭ ରନ୍‌ର ବଡ଼ ସ୍କୋର ପିଛା କରୁଥିବା ଭାରତୀୟ ଦଳ ଲାଗି କେବଳ ଅଧିନାୟକ କୋହଲିଙ୍କୁ ଛାଡ଼ି ଦେଲେ ବିଫଳ ହୋଇଥିଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ। କୋହଲି ୪ ଚୌକା ଓ ୩ ଛକା ବଳରେ ୮୫ ରନ୍‌ର ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ଫଳରେ ଭାରତୀୟ ଦଳ ଶେଷ ପର୍ଯ୍ୟନ୍ତ ଖେଳି ୭ ଉଇକେଟ କ୍ଷତିରେ ୧୭୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶିଖର ଧାଓ୍ବନ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୨୦ ଓ ଶାର୍ଦ୍ଦୁଳ ୧୭ ରନ୍‌ କରିଥିଲେ।

Share