ଲଘୁଚାପ: ଓଡ଼ିଶା ଉପରେ ପ୍ରଭାବ ନାହିଁ, କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧।୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ପରେ ପୁଣି ଉତ୍ତର-ଉତ୍ତର- ପୂର୍ବ ଦିଗ ମ୍ୟାନମାର ଆଡକୁ ଗତି କରିବା ସମ୍ଭାବନା ରହିଛି। ତେବେ ଏହି ଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ୩୦ରୁ ୪୦ କି.ମି. ବେଗରେ ବର୍ଷାପବନ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲା ସମେତ ରାୟଗଡା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର ଏବଂ ରାଜ୍ୟର ଅନ୍ୟାନ୍ୟ ଭାଗରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଛତିଶଗଡ଼ ଏବଂ ଓଡ଼ିଶା ଉପର ଦେଇ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚାନ୍ଦବାଲିରେ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୧.୨, ପାରାଦୀପ ୧୩.୪ ଏବଂ ଭୁବନେଶ୍ୱରରେ ୨୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦିଆଯାଇଛି। ବର୍ଷା ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। ଟିଟିଲାଗଡ ଓ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ରହିଛି।