ଲଘୁଖଣିଜ ସମ୍ପଦ ଲୁଟ୍‌ ନେଇ ଜିଲାପାଳଙ୍କୁ ଭେଟିଲା ଭାଜପା

ବାରିପଦା ଅଫିସ, ୧୦ା୬- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଲଘୁ ଖଣିଜ ସମ୍ପଦ ଭରପୁର ଥିବା ବେଳେ ଏହାର ଠିକ୍‌ ଭାବରେ ଉପଯୋଗ କରା ନ ଯିବାରୁ ମାଫିଆମାନେ ଲୁଟ କରି ଚାଲିଛନ୍ତି। ଜିଲାର ୨୬ଟି ତହସିଲ ରହିଥିବା ବେଳେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା,ସାରସକଣା, ବାଙ୍ଗିରିପୋଷି, ଶ୍ୟାମାଖୁଣ୍ଟା, ବେତନଟୀ ଓ ବଡ଼ସାହି ତହସିଲ ଅଧୀନରେ ଥିବା ବାଲି ସୈରାତ, ମୋରମ ଖାଦାନ ଏବଂ ଚିପସ୍‌ ଶାସକ ଦଳର ମାଫିଆମାନଙ୍କ ଦ୍ୱାରା ଲୁଟ୍‌ କରାଯାଇ ପଶ୍ଚିମବଙ୍ଗ ଏବଂ ପଡ଼ୋଶୀ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। ଏହିଭଳି ଚୋରା ଚାଲାଣ ଦ୍ୱାରା କୋଟି କୋଟି ଟଙ୍କା ରାଜସ୍ବହାନି ହେଉଥିବା ନେଇ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ମଙ୍ଗଳବାର ଭାଜପାର ଏକ ପ୍ରତିନିଧି ଦଳ ଭେଟି ଜଣାଇଛନ୍ତି। ଭାଜପା ପକ୍ଷରୁ କୁହାଯାଇଛି ଯେ, ମୟୂରଭଞ୍ଜ ରାଜସ୍ବ ମନ୍ତ୍ରୀଙ୍କ ଜିଲା ହୋଇଥିବା ବେଳେ ପ୍ରଶାସନକୁ ହାତବାରସି କରି ସାରା ଜିଲାରେ ମାଫିଆମାନେ ଏହିଭଳି ଲୁଟ୍‌ କରୁଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ଦାବି କରିଛି। ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ତାହେଲେ ଆଗାମୀ ଦିନରେ ଭାଜପା ଜିଲାବ୍ୟାପୀ ଜନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଜିଲା ସଭାପତି କାନ୍ଦ୍ରା ସୋରେନ୍‌ଙ୍କ ନେତୃତ୍ୱରେ ଭାଜପାର ଏହି ପ୍ରତିନିଧି ଦଳରେ ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡ଼ୁ, ପୂର୍ବତନ ଜିଲା ସଭାପତି ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ସାରସକଣା ବିଧାୟକ ଡା, ବୁଢାନ ମୁର୍ମୁ, ସଞ୍ଜୀବ ମହାନ୍ତି, ପ୍ରଦୀପ କୁମାର ମହାନ୍ତ, ତପନ କୁମାର ହାବେଡ଼ , ଦିନଶେ ଦାସଙ୍କ ସମେତ ଏକାଧିକ ଭାଜପା ନେତା ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ।