ଲଗାଣ ବର୍ଷା, ଆତଙ୍କିତ ଶେରଗଡ଼ବାସୀ

ଶେରଗଡ଼,୬ା୯(ଡି.ଏନ୍‌.ଏ.)- ଶେରଗଡ଼ରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ନନ୍ଦିନୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଶେରଗଡ଼ ଓ ଆଖପାଖ ଗ୍ରାମ ବିଲମାଳରେ ବର୍ଷାପାଣି ବଢିବାରେ ଲାଗିଛି। କିଛିଦିନ ତଳେ ଶେରଗଡ଼ ଅଞ୍ଚଳରେ ବର୍ଷାପାଣି ଯିବା ପାଇଁ ଯେଉଁ ନାଳ ତିଆରି ହୋଇଥିଲା ସେଥିରେ ପାଣି ନିଷ୍କାସିତ ହେବା ବଦଳରେ ନଦୀପାଣି ଓଲଟା ଆସୁଛି। ଶେରଗଡ଼ ବଡ଼ଦାଣ୍ଡ ସାହି, ବାଲିସାହି, ବାଇପାସ, ତୋଟା ସାହି, ଧୋବାସାହି ଲୋକମାନେ ଏକ ପ୍ରକାର ଆତଙ୍କିତ ହୋଇ ରହିଛନ୍ତି। ଏପରି ବର୍ଷା ଲାଗି ରହିଲେ ନିଶ୍ଚିତ ଭାବରେ ଶେରଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଓ ଏହିସବୁ ସାହି ବାସିନ୍ଦା ଜଳବନ୍ଦୀ ହୋଇଯିବେ। ଶେରଗଡ଼ ଅଞ୍ଚଳରେ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଓ ଜଳ ନିଷ୍କାସନ ପାଇଁ ପୂର୍ତ୍ତ, ନାଳ ନର୍ଦ୍ଧମା, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ଅଧିକାରୀଙ୍କୁ ନେଇ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ବିଫଳ ହୋଇଛି। ତୁରନ୍ତ ପଦକ୍ଷେପ ନେବାକୁ କୁମାର ସ୍ବାମୀ ଆଚାରି କହିଛନ୍ତି। ନାଳ ତିଆରିକୁ ନେଇ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ ବିଭାଗ ମଧ୍ୟରେ ଟଣା ଓଟରା ଲାଗିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବନୋଜ କାନ୍ତ ସେଠି କୁହନ୍ତି, ଶେରଗଡ଼ ନନ୍ଦିନୀ ନଦୀରେ ସଂଯୋଗ ହେଉଥିବା ନାଳ ଆମର ନୁହେଁ। ସେହିପରି ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ପ୍ରୟାଗରାଜ ପାର୍ଥସାରଥୀ କୁହନ୍ତି, ନାଳ ତିଆରି ହୋଇଥିଲା। କିନ୍ତୁ ଉକ୍ତ ନାଳରେ ବହୁତ ଆବର୍ଜନା ପଡିବା ଦ୍ୱାରା ଜଳ ନିସ୍କାସନରେ ବାଧା ସୃଷ୍ଟି ହୋଇଛି। ଖୁବ୍‌ଶୀଘ୍ର ଏହାକୁ ଓସାରିଆ କରାଯିବ।