ଲଗାଣ ବର୍ଷାରେ ସ୍ଥିତି ବେହାଲ: ଖାଲୁଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଅଫିସ, ୨୫।୧୦ – ଦୀପାବଳି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଭଦ୍ରକ ସହର ଅବସ୍ଥା ବେହାଲ ହୋଇଛି। ସହରର ଖାଲୁଆ ଅଞ୍ଚଳରେ ପାଣି ଜମିରହି ସ୍ଥିତି ସଙ୍ଗିନ କରିଛି। ବର୍ଷା ବୁଧବାରଠାରୁ ଆରମ୍ଭ ହୋଇ ଗୁରୁବାର ଦିନତମାମ ଲାଗିରହିଥିଲା। ଦୁଇଦିନର ଏହି ଲଗାଣ ବର୍ଷା କାରଣରୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ ଜଳମଗ୍ନ। ବିଶେଷ କରି ପୌରାଞ୍ଚଳର ୫ ଓ ୮ ନଂ. ୱାର୍ଡ, କୁଅଁାସ, ବନ୍ତଛକ, ଅପର୍ତ୍ତିବିନ୍ଧା ନୂଆକଲୋନୀ, ବନ୍ତଛକ ଏଲ୍‌ଆଇସି ପଛପାଖ, ଚରମ୍ପା ଆଦି ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇପାରୁ ନ ଥିବା ଜଣାପଡ଼ିଛି। ଚରମ୍ପା ଅଞ୍ଚଳର ୫ ନଂ ୱାର୍ଡର ଅଧିକାଂଶ ଅଞ୍ଚଳରେ ଡ୍ରେନ ନ ଥିବା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ୱାର୍ଡର ବହୁସଂଖ୍ୟକ ଲୋକଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି। ୱାର୍ଡର ବିଭିନ୍ନ ସ୍ଥାନରେ ୨ ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଛି। ସେହିପରି ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ଯୋଗୁ ଜିଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ କୋର୍ଟ ପରିସର, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଛି। ସହରର ମୁଖ୍ୟସ୍ଥଳ କୁହାଯାଉଥିବା ବନ୍ତ-ଅପର୍ତ୍ତିବିନ୍ଧା ଛକ ରାସ୍ତାରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ଭାଙ୍ଗିଥିଲା। ପୌରପାଳିକା ପକ୍ଷରୁ ଚନ୍ଦନବଜାର, ଲୁଣିଆମହଲା, ୧୩ ନଂ. ୱାର୍ଡ, ଟ୍ରେଜେରିପାଖ, ଉପର ବାଗୁରାଇ, ପ୍ରଫୁଲ୍ଲନଗର, ଚରମ୍ପା ବାସୁଳିପଦା ଆଦିବାସୀ କଲୋନୀ, ଏଲ୍‌ଆଇସି ଅଫିସ୍‌ ପାଖ ଆଦି ଅଞ୍ଚଳରେ ଜେସିବି ଲଗାଇ ଜମି ରହିଥିବା ବର୍ଷାପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯାଇଛି।
ତେବେ ଜିଲା ସାରା ଏଭଳି ବର୍ଷା ଲାଗି ରହିଥିବା ଜଣାପଡ଼ିଛି। ଜିଲାର ବିଭିନ୍ନ ବ୍ଲକରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଭଦ୍ରକରେ ୩୫ ମିଲିମିଟର, ଭଣ୍ଡାରିପୋଖରୀରେ ୪୫, ବାସୁଦେବପୁରରେ ୨୭, ବନ୍ତରେ ୪୫.୩, ଚାନ୍ଦବାଲିରେ ୭୩.୭, ଧାମନଗରରେ ୮୨ ଓ ତିହିଡ଼ିରେ ୩୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।