ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଛତିଆ, ବଡ଼ଚଣା ଓ ବାଲିକୁଦା ବଜାର ଲଗାଣ ବର୍ଷା ଯୋଗୁ ଜନଶୂନ୍ୟ ରହିଥିଲା। ଅପରପକ୍ଷେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ୧୬ ନଂ ଜାତୀୟ ରାଜପଥ କଡ଼ର ଉଭୟ ପାର୍ଶ୍ୱରେ ପାଣି ଜମି ରହିବା ଦ୍ୱାରା ଚାଷ ଜମିଗୁଡ଼ିକ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହିପରି ଯଦି ଲଗାଣ ବର୍ଷା ଗୁରୁବାର ହୁଏ ତେବେ ଖାଲୁଆ ଅଞ୍ଚଳର ଧାନଚାଷ ନଷ୍ଟ ହୋଇଯିବ ବୋଲି ବହୁ ଚାଷୀ କହିଛନ୍ତି। ଚଣ୍ଡିଖୋଲ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ପଛପଟେ ଥିବା ଖୋସାଲିପୁର ଗ୍ରାମ ଓ ସୁଙ୍ଗୁଡ଼ା ଖେଳପଡ଼ିଆ ନିକଟବର୍ତ୍ତି ଚାଷ ଜମିଗୁଡ଼ିକ ଜଳାମଗ୍ନ ହୋଇପଡ଼ିଥିବାରୁ ଧାନଚାଷ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ଲଗାଣ ବର୍ଷାରେ ବାଲିଚନ୍ଦ୍ରପୁରସ୍ଥିତ ସାହାସପୁର କଲେଜ ସମ୍ମୁଖ ଭାଗଟି ଜଳମଗ୍ନ ହୋଇଛି । ସେହିପରି ବାଲିଚନ୍ଦ୍ରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ବର୍ଷା ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି। ଅଞ୍ଚଳର ବହୁ ଗ୍ରାମ ରାସ୍ତା ପାଣିରେ ବୁଡ଼ିରହିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି।