ଲଗାଣ ବର୍ଷାରେ ଚଣ୍ଡିଖୋଲ ଛକ ବେହାଲ: ପରିବା ମାର୍କେଟରେ ଆଣ୍ଠୁଏ ପାଣି

ଚଣ୍ଡିଖୋଲ,୨୬।୯(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଚଣ୍ଡିଖୋଲ ଛକର ଅବସ୍ଥା ବେହାଲ ହୋଇଛି। ରାସ୍ତା ଉପରେ ପାଣି ଲହଡ଼ି ମାରୁଥିଲା ବେଳେ ପରିବା ମାର୍କେଟରେ ଆଣ୍ଠୁଏ ଲେଖା ପାଣି ଜମି ରହିଛି। ଫଳରେ ପରିବା ବ୍ୟବସାୟ ଏକ ରକମର ଠପ ହୋଇଯାଇଛି। ଯାହାକୁ ନେଇ ବୁଧବାର ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସୂଚନା ଥାଉକି ଚଣ୍ଡିଖୋଲ ଛକର ଦୁଇପଟରେ ଦୁଇଟି ବଡ଼ ବଡ଼ ପାଣି ଖାଲ ରହିଛି। ୧ନମ୍ବର ଲୁଫ୍‌ ଦ୍ୱାରା ଅବରୋଧ ହୋଇଥିବା ପୂର୍ବପଟ ପାଣିଖାଲ ଅତ୍ୟନ୍ତ ବଡ଼। ବଜାରର ସମସ୍ତ ପାଣି ଏହି ପାଣି ଖାଲରେ ଭର୍ତ୍ତି ହୋଇଥାଏ। ମାତ୍ର ଏଠାରୁ ବାହାରକୁ ଯିବାର ସୁବିଧା ନାହଁ। ଫଳରେ ବର୍ଷାପାଣି ଜମି ରହି ପିଚୁ ରାସ୍ତା, ପୂର୍ବପଟ ବସ୍‌ଷ୍ଟାଣ୍ଡ ଓ ପରିବା ମାର୍କେଟ ଉପରେ ପାଣି ଳହଡ଼ି ମାରୁଛି। ପଶ୍ଚିମପଟ ପାଣି ଖାଲରୁ ପାଣି ନିଷ୍କାସିତ ହୋଇ ଆସୁଥିଲେ ମଧ୍ୟ ତାହା ତଳ ଆଡ଼କୁ ମଧ୍ୟ ରାସ୍ତା ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁ ନାହଁ। ଏହା ବହୁତ ଉଚ୍ଚ ସ୍ଥାନରେ ଅବସ୍ଥିତ ଥିବାବେଳେ ଡ୍ରେନେଜ ସୁବିଧା ନ ଥିବାରୁ ପାଣି ନିଷ୍କାସନ ହୋଇପାରୁ ନାହିଁ। ଏହାର ୧୦୦ ମିଟର ଦୂରରେ ଏକ ପାଟ ନାଳି ଯାଇଥିଲେ ସୁଦ୍ଧା ଜଳ ନିଷ୍କାସନ ନେଇ କାୈଣସି ସୁବିଧା କରାଯାଇ ନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ପ୍ରସ୍ତାବିତ ପୂର୍ବପଟ ପାଣିଖାଲରୁ ପାଣି ନିଷ୍କାସନ ପାଇଁ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କଲେ ଏହି ସମସ୍ୟା ସ୍ଥାୟୀ ଭାବେ ସମାଧାନ ହୋଇପାରିବ ବୋଲି ସ୍ଥାୟୀ ବଣିକ ସଂଘ ଓ ଅସ୍ଥାୟୀ ବଣିକ ସଂଘ ତରଫରୁ ଦାବି ହେଉଛି।