ଲକ୍‌ ଡାଉନ ସମୟରେ ସହଯୋଗର ହାତ ବଢାଇଲା ଡାକବିଭାଗ

ଭବାନୀପାଟଣା,୨୨।୪(ସ୍ବ.ପ୍ର)- କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗତ ୨୪ତାରିଖଠୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅନେକ ଗରୀବ ଅସହାୟ ଲୋକଙ୍କ ଜୀବନ ଶୈଳୀ ଉପରେ ପ୍ରଭାବ ପଡିଛି। ଏହି ସମୟରେ କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ୨୫୦ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଥୁଆମୁଲ ରାମପୁର ବ୍ଲକ କର୍ଲାପାଟ, ପୋଇଗୁଡା,ସଲପଙ୍ଗ ଓ ବଡଟିକ୍ରାଗୁଡା ଆଦି ଗ୍ରାମର ୨୫୦ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଡାକ ବିଭାଗର କଲ୍ୟାଣ ପାଣ୍ଠି ପକ୍ଷରୁ ଏହା ବଣ୍ଟନ କରାଯାଇଥିଲା। ଜିଲା ଡାକ ଅଧିକ୍ଷକ ତାରିଣୀ ଚରଣ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ସହଡାକ ଅଧିକ୍ଷକ ମୋହନ ସୁନା, ଡାକ ସହାୟକ ସୋମ୍ୟରଞ୍ଜନ ନାଏକ, ତପନ କୁମାର ନାଏକ, କୈଲାସ ପୂଝାରୀ, ନରସିଂହ ଲହଜଲ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି ଏହା ବଣ୍ଟନ କରିଥିଲେ।