ଲକ୍‌ଡାଉନ ୩.୦: ଚାଲିବନି ଟ୍ରେନ୍‌-ବିମାନ, ଖୋଲିବନି ମଲ୍‌-ସିନେମା ହଲ୍‌

ନୂଆଦିଲ୍ଲୀ,୧।୫: ଲକ୍‌ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ପୁଣିଥରେ ଲକ୍‌ଡାଉନ ୩.୦ ଜାରି କରିଛନ୍ତି। ପୁଣି ୨ ସପ୍ତାହ ପାଇଁ ବଢିଛି ଏହି ଲକ୍‌ଡାଉନ ଅବଧି। ଏହି ସମୟ ମଧ୍ୟରେ ପୂର୍ବପରି ବସ୍‌, ଟ୍ରେନ୍‌, ମେଟ୍ରୋ ଓ ବିମାନ ସେବା ବନ୍ଦ ରହିବ। ଏହାସହ ଶପିଂ ମଲ, ସିନେମା ହଲ୍‌, ସେଲୁନ, ସ୍ପା ମଧ୍ୟ ଖୋଲାଯାଇ ପାରିବ ନାହିଁ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ଓ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏବେ ଲକ୍‌ଡାଉନ ୩.୦ ରେ ଗ୍ରୀନ ଜୋନ, ଅରେଞ୍ଜ ଜୋନ, ରେଡ ଜୋନ ଅନୁଯାୟୀ ଗାଇଡ ଲାଇନ ଜାରି କରାଯାଇଛି। ଗ୍ରୀନ ଜୋନରେ ବସ ଚାଲିବାକୁ ଅନୁମତି ମିଳିଛି ଗୋଟିଏ ବସରେ ୫୦ ପ୍ରତିଶତ ଯାତ୍ରୀ ଯାଇ ପାରୁଥିବେ। ଏଠାରେ ମଦ ଦୋକାନ, ପାନ ଦୋକାନ ଖୋଲି ପାରିବ। ଅରେଞ୍ଜ ଜୋନରେ କିଛି ମାତ୍ରାରେ ନିୟମ କୋହଳ କରାଯିବ। ଏହି ଜୋନରେ ଟ୍ୟାକ୍ସି ଓ କ୍ୟାବରେ ଡ୍ରାଇଭର ସହ ଜଣେ ଯାତ୍ରୀ ଯାଇପାରିବେ। ଚାରି ଚକିଆ ଯାନରେ ଡ୍ରାଇଭରକୁ ମିଶାଇ ୩ ଜଣ ଓ ଦୁଇ ଚକିଆରେ ୨ ଜଣ ଯାତ୍ରା କରିପାରିବେ। କିନ୍ତୁ ରେଡ ଜୋନରେ ଆଗଭଳି କଟକଣା ଲାଗୁ କରାଯିବ। ରେଡ୍‌ ଜୋନରେ ସମସ୍ତ ପ୍ରକାର କୃଷି ଭିତ୍ତିକ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି। ଏହାସହ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଏହି ଜୋନରେ ଥିବା ପ୍ରିଣ୍ଟ ମିଡିଆ, ବୈଦ୍ୟୁତିକ ଗଣମାଧ୍ୟମ, ଆଇଟି, କଲ ସେଣ୍ଟର ଆଦି ଚାଲିପାରିବ। ଏଠାରେ ଘରୋଇ ସଂସ୍ଥାରେ ମାତ୍ର ୩୩ ପ୍ରତିଶତ କର୍ମଚାରୀ କାମ କରିପାରିବେ। ଏଠାରେ ବାଇକ୍‌ରେ କେବଳ ଜଣେ ଯାତ୍ରା କରିପାରିବେ।

Share