ଲକ୍‌ଡାଉନ ବେଳେ ଚାଲିଛି ମଦ କାରବାର, ୬ ଗିରଫ

ଟିଟିଲାଗଡ଼, ୨୩।୪ (ଡି.ଏନ.ଏ.): ଲକ୍‌ଡାଉନ କଟକଣା ବେଳେ ଚାଲିଛି ମଦର ଅବାଧ କାରବାର। ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ବ୍ୟାପକ ରନ୍ଧା ମଦ କାରବାର ନେଇ ପୋଲିସ ଏବଂ ଅବକାର ବିଭାଗ ପକ୍ଷରୁ ପୃଥକଭାବେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ଅଧିକାରୀ ଦେବରାଜ ଖମାରୀଙ୍କ ନେତୃତ୍ୱରେ କୁମ୍ଭେପଡା, ବୁର୍ଡିପଡା ରାସ୍ତାରେ ଚଢାଉ କରାଯାଇ ୪ ଜଣଙ୍କୁ ଧରାଯିବା ସହ ୨୦୦ ଲିଟର ମଦ, ମଦ ପ୍ରସ୍ତୁତି ଉପକରଣ ଜବତ କରାଯାଇଛି। ସେମାନଙ୍କଠାରୁ ୬ଟି ବାଇକ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମହେଶ୍ୱର ଘିବେଲା, ଯୋଗେଶ୍ୱର ମହାନନ୍ଦ, ଶୁଭ୍ୟବନ୍ତ ବାଗ ଓ ସୁଶୀଲ ଗହିର। ସେହିପରି ଟିଟିଲାଗଡ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଥାନା ଅନ୍ତର୍ଗତ କାନିଜୁରି, ଟିଟିଡୁଙ୍ଗରି, ଶିଶାକାନି ଅଞ୍ଚଳରେ ଚଢାଉ ସମୟରେ ବ୍ୟାପକ ବିଦେଶୀ ଓ ରନ୍ଧା ମଦ ସାଙ୍ଗକୁ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦୁର୍ଗା ଚନ୍ଦନ, ଅନାମ ବଗର୍ତ୍ତି, ଦେବରାଜ ବେହେରାଙ୍କୁ କୋର୍ଟଚାଲାଣ କରିଛି ପୋଲିସ।