ଲକ୍‌ଡାଉନ ନାମରେ ଚାଲିଛି ଭୋଜିଭାତ

ଖଇରା, ୩।୪(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। କେତେକ ଗ୍ରାମବାସୀ ଗ୍ରାମର ୨ ପାର୍ଶ୍ୱରେ ବାଉଁଶ ବାନ୍ଧି ବାହାର ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇଛନ୍ତି। ହେଲେ ଏବେ କେତେକ ଗ୍ରାମରେ ପୋଲିସ ଆଖିରେ ଧୂଳି ଦେଇ ଉପରଠାଉରିଆ ଭାବେ ଯୁବଗୋଷ୍ଠୀ ଭୋଜିଭାତ ମଉଜମଜଲିସ କରୁଥିବା ନଜରକୁ ଆସିଛି।
ଗାଁ ଗହଳି ଛକରେ ଲୋକମାନଙ୍କର ଭିଡ ଯେପରି ନ ଜମେ ଓ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ସାଧାରଣ ଦୂରତା ବଜାୟ ରଖନ୍ତି ସେଥିପାଇଁ ଖଇରା ବ୍ଲକ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ତହସିଲଦାର ପ୍ରଦୀପ କୁମାର ସାହୁ, ଖଇରା ଥାନା ଆଇଆଇସି ସୁବ୍ରତ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍‌ ଗାଁ ଗାଁ ବୁଲୁଛନ୍ତି। ବାହାର ରାଜ୍ୟରେ କାମ କରୁଥିବା ଯୁବକମାନେ ଗାଁକୁ ପଳାଇ ଆସିଛନ୍ତି ା ପ୍ରଶାସନର ଏଭଳି ଅଙ୍କୁଶ ଉପରୋକ୍ତ ଯୁବକମାନଙ୍କୁ ଦଳ ଦଳ ହୋଇ ବୁଲିବା ମଦ ମାଂସର ଭୋଜିର ଆୟୋଜନ କରିବାରେ ବାଧାସୃଷ୍ଟି କରୁଛି ା ଫଳରେ ପ୍ରଶାସନର ଦୃଷ୍ଟି ଆଢୁଆଳରୁ ସୁରକ୍ଷିତ ରହିବା ଲାଗି ଏହି ଯୁବଗୋଷ୍ଠୀ ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ଆଳରେ ସବୁକିଛି କରିଚାଲିଛନ୍ତି। ବୟୋଜ୍ୟେଷ୍ଠମାନଙ୍କୁ ଏଭଳି କାର୍ଯ୍ୟ ଖରାପ ଲାଗୁଥିଲେ ହେଁ ସେମାନେ ଭୟରେ ମୁହଁ ଖୋଲି କିଛି କହିପାରୁନାହାନ୍ତି ା ଏ ସମ୍ପର୍କରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଓ ଆଇଆଇସି ସୁବ୍ରତ ବେହେରାଙ୍କୁ ଯୋଗାଯୋଗ କରିବାରେ ସେମାନେ ଏହି ଘଟଣା ଉପରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ା