ଲକ୍‌ଡାଉନ୍‌ ଯୋଗୁ ବଢ଼ିଛି ଦେଶୀ ମଦ ମାଫିଆଙ୍କ ପ୍ରାର୍ଦୁଭାବ: ଜଙ୍ଗଲରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ପୋଚ ନଷ୍ଟ କଲା ବାଲିଗୁଡ଼ା ପୋଲିସ, ଜଣେ ଗିରଫ

ବାଲିଗୁଡ଼ା,୧୮।୪.(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ପୋଲିସ ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି । ଘଟଣା ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ ଗିରଫ କରିଥିବାବେଳେ ପୋଲିସକୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

କରୋନାକୁ ନେଇ ସବୁଠି ତାଲା ବନ୍ଦ। ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ସେପଟେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି। ଅଞ୍ଚଳର ସମସ୍ତ ମଦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଏଭଳି ପରିସ୍ଥିତିରେ ଦେଶୀମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଛି ଦେଶୀ ମଦ ଫ୍ୟାକ୍ଟ୍ରି । ଏଥିରେ ରୋକ ଲଗାଇବାକୁ ବାଲିଗୁଡ଼ା ପୋଲିସ ଆରମ୍ଭ କରିଛି ପ୍ରୟାସ।ପୂର୍ବ ସୂଚନା ପ୍ରକାରେ ଘଞ୍ଚ ଜଙ୍ଗଲରେ ଚାଲିଥିବା ଦେଶୀମଦ ଭାଟିରେ ଚଢ଼ାଉ କରିଛି ପୋଲିସ ।

ପ୍ରକାଶ ଥାଉ କି ଗତ ଦୁଇଦିନ ପୁର୍ବେ କାମପଡା ଗ୍ରାମ ନିକଟସ୍ଥ ଦଡ଼ି ଜଙ୍ଗଲରେ ଚଢ଼ାଉକରି ୨୦୦୦ ଲିଟରରୁ ଉଦ୍ଧର୍‌ବ ମହୁଲ ପୋଚ ସହ ବହୁ ପରିମାଣର ରନ୍ଧା ସାମଗ୍ରୀ ନଷ୍ଟ କରାଯିବାସହ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ ।