ଲକ୍‌ଡାଉନ୍‌ ନିୟମ ଉଲ୍ଲଘଂନ: ୧୯ ହଜାର ଜରିମାନା ଆଦାୟ ସହ ଜଣେ ଚା’ ଦୋକାନୀ ଗିରଫ

ଜୁନାଗଡ଼,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲକ୍‌ଡାଉନ୍‌ କଡ଼ାକଡ଼ି କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ହେଳେ ଏହା ସତ୍ତ୍ବେ ବି କେତେକ ଅମାନିଆ ବାଇକ ଚାଳକ ଏହି ନିୟମକୁ ମାନୁନାହାନ୍ତି। ଜୁନାଗଡ଼ ପୋଲିସ ପକ୍ଷରୁ ୧୯ ଜଣ ବାଇକ ଚାଳକକୁ ଅଟକ ରଖି ତାଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ସେହିପରି ସହରର ତାଲବନ୍ଦପଡ଼ାଠାରେ କୃଷ୍ଣ ଗହୀର ନାମକ ଜଣେ ବ୍ୟକ୍ତି ଚା’ ଦୋକାନ ଖୋଲିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଏଥିସହ ଚା’ ପାଇଁ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି ବୋଲି ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି।