ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମଦ ଦୋକାନ

ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ବାଲିଆ ବଜାରରେ ଥିବା ଏକ ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନରେ ବୁଧବାର ରାତିରେ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଦୋକାନକୁ ସିଲ୍‌ କରାଯାଇଛି। ଏଥିସହ ଦୋକାନରେ ଥିବା ୭୦୦ରୁ ଊର୍ଦ୍ଧ୍ୱ ଲିଟର ବିଦେଶୀ ମଦ ବୋତଲ ଜବତ କରାଯାଇଥିବା ଜିଲା ଅବକାରୀ ଇନ୍ସପେକ୍ଟର ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ଥିବା ସମସ୍ତ ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ବାଲିଆଠାରେ ଥିବା ଉକ୍ତ ମଦ ଦୋକାନରେ ଖୁଲମଖୁଲା ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଖବରପାଇ ଅବକାରୀ ବିଭାଗ ଓ ସଦର ଥାନା ପୋଲିସ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ଇନ୍ସପେକ୍ଟର ସାହୁଙ୍କ ସମେତ ଏସ୍‌ଆଇ ଅଂଶୁମାନ ଜେନା, ସଦର ଥାନାଧିକାରୀ ପ୍ରମୋଦ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ବା ସହ ସମ୍ପୃକ୍ତ ମଦ ଦୋକାନ ମାଲିକଙ୍କୁ ଫୋନ୍‌ ଯୋଗେ ଡକାଇଥିଲେ। ମାତ୍ର ମଦ ଦୋକାନୀ ନ ଆସିବାରୁ ଡେରାବିଶ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଦୋକାନରୁ ସମସ୍ତ ମଦ ବୋତଲକୁ ଜବତ କରାଯାଇଥିଲା। ଏଥିସହିତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ଇନ୍ସପେକ୍ଟର ସାହୁ କହିଛନ୍ତି।