ଲକ୍‌ଡାଉନ୍‌ କୋହଳ ପରେ ଗାଡ଼ି ବିକ୍ରି ବଢ଼ିଛି

କଟକ ଅଫିସ,୮।୬: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଓଡ଼ିଶାରେ ଯାନବାହନ ବିକ୍ରି ବଢ଼ିଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଏହି ସୂଚନା ଦେଇଛି। ମାର୍ଚ୍ଚ ୨୨ରେ ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିବା ପରଠାରୁ ଏଯାବତ୍‌ ତାହା ଜାରି ରହିଛି। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡ଼ି ଶୋ’ରୁମ୍‌ ମେ’ ୩ ଯାଏ ବନ୍ଦ ଥିଲା। କଟକଣା କୋହଳ ହେବା ପରେ ମେ’ ୪ରେ ଶୋ’ରୁମ୍‌ ସବୁ ଖୋଲିଥିଲା। ଦୀର୍ଘ ଦିନ ପରେ ଶୋ’ରୁମ୍‌ ଖୋଲିବାରୁ ଗାଡ଼ି ବିକ୍ରି ବଢ଼ିଛି। ମେ’ ମାସରେ ମୋଟ ୧୫ ହଜାର ୧୯୩ଟି ଗାଡ଼ି ବିକ୍ରି ହୋଇଛି। ସେଥିରେ ୧୨ ହଜାର ଦୁଇଚକିଆ ଯାନ ରହିଛି। ହୋଣ୍ଡା ମୋଟର୍‌ ସାଇକେଲ ଓ ସ୍କୁଟର୍‌ ପକ୍ଷରୁ ୪ ହଜାର ୪୮୪, ହିରୋ ମୋଟର୍‌ କର୍ପ ପକ୍ଷରୁ ୪ ହଜାର ୧୯୬, ଟିଭିଏସ୍‌ ପକ୍ଷରୁ ୨ ହଜାର ୨୨୮, ରୋୟାଲ୍‌ ଏନଫିଲ୍‌ଡର ୫୭୬ଟି ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି। ଏସ୍‌ଟିଏ କହିଛି ଯେ, ପ୍ରତି ମାସରେ ରାଜ୍ୟରେ ପ୍ରାୟ ୬୦ ହଜାର ଗାଡ଼ି ବିକ୍ରି ହୁଏ। କିନ୍ତୁ ଲକ୍‌ଡାଉନ୍‌ ସତ୍ତ୍ୱେ ୧୫ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ବିକ୍ରି ହେବା ଉତ୍ସାହଜନକ।