ଲକ୍‌ଡାଉନ୍‌ରେ ଫି ମାଗୁଛନ୍ତି ଘରୋଇ ସ୍କୁଲ, କଲେଜ

ବ୍ରହ୍ମପୁର ଅଫିସ,୫ା୬- କୋଭିଡ୍‌-୧୯କୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ କେତେକ ଘରେଇ ସ୍କୁଲ ଓ କଲେଜ ଫି ପାଇଁ ଅବିଭାବକଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଫି ଛାଡ କରିବା ନେଇ ଘରୋଇ ସ୍କୁଲ ଓ କଲେଜକୁ ତାଗିଦ୍‌ କରିବାକୁ ଦାବି ହୋଇଛି। ଗୁରୁବାର ଏନେଇ ଗଞ୍ଜାମ ଜିଲା ଛାତ୍ର କଂଗ୍ରେସ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛି। ପିଲାଙ୍କ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପଡିଛି। ଏଭଳି ସ୍ଥିତିରେ ଘରୋଇ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ୍‌ ସମୟ ଅର୍ଥାତ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ୩ ମାସର ଫି ଦେବାକୁ ଅଭିଭାବକଙ୍କୁ ଚାପ ପ୍ରୟୋଗ କରୁଥିବା ଦଳ ପକ୍ଷରୁ କୁହାଯାଇଛି। ଏନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବା ସହ ଘରୋଇ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ଉକ୍ତ ମାସର ଫି ଛାଡ କରିବାକୁ ନିର୍ଦ୍ଦେଶ ଦେବାକୁ ଦଳ ଦାବି କରିଛି। ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ଅଧିକ ତୀବ୍ର ହେବା ନେଇ ଚେତାବନୀ ଶୁଣାଇଥିଲେ। ଦାବିପତ୍ର ପ୍ରଦାନ ବେଳେ ଜିଲା ଛାତ୍ର କଂଗ୍ରେସ ସଭାପତି ବିଜୟ ରାଜ ପାଣିଗ୍ରାହୀ,ନଗର ସଭାପତି ପତିତପାବନ ଗନ୍ତାୟତ, ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ପଲେଇ, ଜିଲା ଉପସଭାପତି ରାଜୀବ ରମଣ ଖୁଣ୍ଟିଆ, ରୁଦ୍ରପ୍ରସାଦ ଖଟୁଆ, ତତ୍‌ସତ୍‌ ସୁବୁଦ୍ଧି ଓ ତନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।