ଲକ୍‌ଡାଉନ୍‌କୁ ମହାଭାରତ ଯୁଦ୍ଧ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ,୨୬ା୩(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘାତକ କରୋନା ଭାଇରସ୍‌ ପରିପ୍ରେକ୍ଷୀରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ୍‌କୁ ମହାଭାରତ ଯୁଦ୍ଧ ସହ ତୁଳନା କରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଜନତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରି ମୋଦି କହିଛନ୍ତି, ମହାଭାରତ ଯୁଦ୍ଧ ୧୮ ଦିନ ଧରି ଚାଲିଥିଲା। ଏବେ କୋଭିଡ୍‌-୧୯ ବିରୋଧରେ ଆମେ ୨୧ ଧରି ଲଢ଼େଇ କରିବା। ଭଗବାନ ଶ୍ରୀକୃଷ୍ଣ ମହାରାଭାରତ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଯୁଦ୍ଧରେ ଦେଶ ଜିତିବ। ଏହି ଯୁଦ୍ଧ ୧୩୦ କୋଟି ଭାରତୀୟ ଯୋଦ୍ଧାଙ୍କର। କାଶୀର ଜନତାଙ୍କୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ପଡ଼ିବ।
ଆହୁରି କହିଥିଲେ, କେତେଜଣ ବ୍ୟକ୍ତି କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରୁଥିବା ଡାକ୍ତର, ଏୟାରଲାଇନ୍ସ କ୍ରିଉ ଓ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏହି ଘାତକ ଭୂତାଣୁ ଧନୀ ଓ ଗରିବ ମଧ୍ୟରେ ତଫାତ୍‌ ଦେଖେନାହିଁ। ତେଣୁ ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖି ନିଜ ନିଜ ଘରେ ରୁହନ୍ତୁ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ସାରା ଭାରତରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବା ଲାଗି ମଙ୍ଗଳବାର ରାତିରେ ଆହ୍ବାନ ଦେଇଥିଲେ।

Share