ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କଟକ ଅଫିସ, ୨୪।୯: ଗତ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ବିଜୟୀ ହୋଇଛନ୍ତି। ତେବେ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରଭୁ ଜାନିଙ୍କ ସହ ସିପିଆଇ(ଏମ୍‌/ଏଲ୍‌)ର ପୂର୍ଣ୍ଣ ମାଣ୍ଡାଙ୍ଗି, ବିଏସ୍‌ପିର ଅନୀତା ସଗରିଆ, ଭାଜପାର କୁମୁଦ ଚନ୍ଦ୍ର ସାଉନ୍ତାଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ରହିଥିବା ଓ ଏହାକୁ ଆଇନ ଅନୁଯାୟୀ ଗ୍ରହଣ କରାଯାଇ ନ ଥିବା ଦର୍ଶାଇ କଂଗ୍ରେସ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିବା ସହ ପ୍ରତିପକ୍ଷଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ।
କୁଲେସିକା ପିଟିଶନରେ ଦର୍ଶାଇଛନ୍ତି, ନିର୍ବାଚନ ଅଧିକାରୀ ୩ଜଣଙ୍କ ପ୍ରାର୍ଥୀତ୍ତ୍ବ ବେଆଇନ ଭାବେ ଗ୍ରହଣ କରିଛନ୍ତି। ସେହିପରି ଭୋଟ୍‌ ଓ ଗଣତି ସମୟରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି। କୁଲେସିକାଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଧର ମିଶ୍ର, ତରଣୀକାନ୍ତ ବିଶ୍ୱାଳ, ରଶ୍ମୀରେଖା ପଣ୍ଡା, ପୁଷ୍ପରାଜ ଭରଦ୍ୱାଜ, ଭବାନୀଶଙ୍କର ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।