ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ବୋଝେଇ ମିନିଟ୍ରକ୍‌ ଜବତ, ଡ୍ରାଇଭର ଫେରାର

ଓଡ଼ଗାଁ,୫ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ବନ ବିଭାଗ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳଗଣ୍ଡି ବୋଝେଇ ମିନି ଟ୍ରକ ଜବତ କରିଛି।
ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ କରଚୁଲି ଜଙ୍ଗଲରୁ ଏକ ଶାଳଗଣ୍ଡି ବୋଝେଇ ମିନିଟ୍ରକ ଆସୁଥିବା ବନ ବିଭାଗ ସୂଚନା ପାଇଥିଲା। ବନପାଳ ଜ୍ୟୋତି ରଞ୍ଜନ ମାନସିଂହ ନୟାଗଡ଼ ସୀମା ୨୧ ନମ୍ବର ରାଜ୍ୟ ରାଜପଥ ନାଉଖାଲ ନିକଟରେ ପାଟ୍ରୋଲିଂ ପାର୍ଟି ସହିତ ପଇଁତରା ମାରୁଥିବା ବେଳେ ଶୁକ୍ରବାର ଭୋର୍‌ରୁ ଏକ ପାଲ ଘୋଡ଼ା ମିନିଟ୍ରକ ଓଡଗାଁ ଅଭିମୁଖେ ଆସୁଥିବା ବେଳେ ଆଗରେ ଗାଡ଼ି ରଖି ଅଟକାଇଥିଲେ। ହେଲେ ଗାଡ଼ି ଚାଳକ ଚକମା ଦେଇ ଖସି ପଳାଇଥିଲା।ବନ କର୍ମଚାରୀ ଗାଡ଼ି ଓ ଶାଳ ଗଣ୍ଡି ଜବତ କରି ରେଞ୍ଜ ଅଫିସକୁ ଆଣିଛନ୍ତି। ସେଥିରେ ୪୯ ଖଣ୍ଡ ଶାଳ ଗଣ୍ଡି ରହିଥିବା ବେଳେ ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନପାଳ ଆକଳନ କରିଛନ୍ତି।