ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ ବୌଦ୍ଧ ମଡେଲ ପୋଲିସ ୨୧ଟି ବାଇକ ଜବତ କରି ଚାଳକମାନଙ୍କ ନିକଟରୁ ପାଞ୍ଚଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି। ସେହିପରି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ନେତୃତ୍ୱରେ ଏକ ଟିମ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କଟକଣା ସମୟରେ ଦୋକାନ ଖୋଲି ବିକ୍ରୟ କରୁଥିବାରୁ ବ୍ୟବସାୟୀମାନଙ୍କ ନିକଟରୁ ୧୪ ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି। ଏହି ଜରିମାନା ଅର୍ଥ ଜିଲା ରେଡକ୍ରସ ପାଣ୍ଠିକୁ ପ୍ରଦାନ କରାଯିବ । ତେବେ ଜିଲାର ଅନ୍ୟ ଥାନା ଗୁଡିକରେ ନୂତନ କଟକଣା ନିୟମ ସଂପର୍କରେ ଲୋକ ଜାଣିପାରିନଥିବାରୁ ଆଜି ଗୋଟିଏ ଦିନ ପାଇଁ ଲୋକମାନଙ୍କୁ ସତର୍କ କରାଇ ଛାଡିଦିଆଯାଇଥିବାବେଳେ ବୁଧବାରଠାରୁ କଡାକଡି ଭାବେ ଯାନବାହନ ଚଳାଚଳ ବନ୍ଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।