ରୋଡ୍‌ ରୋମିଓଙ୍କ ଦୌରାତ୍ମ୍ୟରେ ଛାତ୍ରୀ ଅତିଷ୍ଠ: ଉପଜିଲାପାଳ, ଥାନାଧିକାରୀଙ୍କୁ ଦାବିପତ୍ର

ଭଞ୍ଜନଗର,୨।୧୧(ଡି.ଏନ.ଏ.)-ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଷ୍ଟ୍ରିଟ ରୋମିଓମାନେ ଘୂରି ବୁଲୁଛନ୍ତି। ଛାତ୍ରୀମାନଙ୍କୁ ଯିବାଆସିବାବେଳେ କମେଣ୍ଟ ମାରୁଛନ୍ତି, ଯାହାକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ସମ୍ମୁଖ ରାସ୍ତାଟି ସହରର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବାବେଳେ ଉକ୍ତ ରାସ୍ତାରେ ଗାଡିଗୁଡିକ ଦ୍ରୁତ ଗତିରେ ଯାତାୟାତ କରୁଛି। ଛାତ୍ରୀମାନେ କଲେଜକୁ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଗତ ବୁଧବାର ଗାଡି ଧକ୍କାରେ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ତେଣୁ ଗାଡିଗୁଡିକର ବେଗ ନିୟନ୍ତ୍ରଣ ପାଇଁ କଲେଜ ସମ୍ମୁଖରେ ସ୍ପିଡ୍‌ ବ୍ରେକର ବ୍ୟବସ୍ଥା କରାଯାଉ। କଲେଜ ନିକଟରେ ଲୋକେ ଘରୁ ଓ ଦୋକାନରୁ ବାହାରୁଥିବା ମଇଳା ଆଣି ପକାଉଛନ୍ତି। ଏହାଦ୍ୱାରା କଲେଜ ପରିବେଶ ଦୂଷିତ ହେଉଛି। ଏନ୍‌ଏସି ପକ୍ଷରୁ ନିୟମିତ ସଫେଇ ହେଉନାହିଁ। ଉଠା ଦୋକାନୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହାକୁ ନେଇ ବିଭିନ୍ନ ସମସ୍ୟା ଉପୁଜିଛି। ଏହିସବୁ ସମସ୍ୟା ସମାଧାନ ପାଇଁ ଛାତ୍ରୀମାନେ ଶୁକ୍ରବାର ଏକାଠି ହୋଇଛନ୍ତି। ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଭଞ୍ଜନଗର ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପରେ ସୁରକ୍ଷା ପାଇଁ ଥାନା ଅଧିକାରୀଙ୍କୁ ମଧ୍ୟ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୋଲିସ ଓ ପ୍ରଶାସନ ପକ୍ଷରୁ ଛାତ୍ରୀମାନଙ୍କୁ ଆଶ୍ୱାସନା ଦିଆଯାଇଛି।