ରୋଗ ରୋକିଦେଲା ରୋଜଗାର

(ଦିନେଶ ଦେହୁରୀ) ବନ୍ତଳା,୧୬ା୫ – ବାଳୁତରୁ ଆସି ପାକଳ ହେଲୁଣି, ହେଲେ ଏମିତି ସମୟ କେବେ ଆସି ନ ଥିଲା। ବନ୍ୟା, ବାତ୍ୟା ପରି ଆସିଥିବା ଅନେକ ବିପର୍ଯ୍ୟୟ ମଧ୍ୟ ହାତ ବାନ୍ଧି ଦେଇ ନ ଥିଲା। କିନ୍ତୁ ଏ କେମିତିକା ରୋଗ କେଜାଣି ପୂଜା, ମେଳା ସବୁ ବନ୍ଦ କରିଦେଲା। ବର୍ଷକର ରୋଜଗାର ବି ରୋକିଦେଲା। ହାଟ ବଜାରରୁ ବଳି ପଡ଼ୁଥିବା ସାମଗ୍ରୀ ପ୍ରତିବର୍ଷ ହିଙ୍ଗୁଳା ପୂଜା ଓ କୋଶଳା ପୂଜାରେ ବିକ୍ରି ହୋଇଯାଉଥିଲା। ମାତ୍ର ଚଳିତବର୍ଷ ଏସବୁ ପୂଜା ପରମ୍ପରା କେବଳ ପୀଠରେ ସୀମିତ ଥିବାରୁ ଆମ ପରି ଅନେକ ପରିବାର ବେରୋଜଗାର ହୋଇଯାଇଛନ୍ତି ବୋଲି କହିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ଓ ବ୍ରହ୍ମପୁର ଗ୍ରାମର ବାଉଁଶ କାରିଗରମାନେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଦୁଇ ଗ୍ରାମର ୭୨ ପରିବାର ବର୍ଷ ତମାମ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ କୁଲା, ଡାଲା, ଗାଣ୍ଡୁଆ, ଟୋକେଇ, ଝୁଡି, ବିଞ୍ଚଣା, ଫୁଲଦାନି ଆଦି ବହୁ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ଛୋଟରୁ ବଡ଼ ଯାଏ ପରିବାରଗୁଡ଼ିକର ୩୫୦ ସଦସ୍ୟ ଦିନ ତମାମ ଏହି କାର୍ଯ୍ୟରେ ଲାଗିଥାନ୍ତି। ଗାଁ ପାଖ ହାଟ, ବଜାର ଓ ବିଭିନ୍ନ ଯାନିଯାତ୍ରାରେ ସେସବୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହା ହିଁ ସେମାନଙ୍କ ମୁଖ୍ୟ ତଥା ଆୟର ଏକମାତ୍ର ପନ୍ଥା। ଏଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି। ବିବାହ ଆଦି ମାଙ୍ଗଳିକ କାର୍ଯ୍ୟକୁ ବାଦ୍‌ ଦେଲେ ତାଳଚେରର ହିଙ୍ଗୁଳା ଯାତ୍ରା, କୋଶଳା ଯାତ୍ରା, ଦଶଦୋଳରେ ଭଳିକି ଭଳି ସାମଗ୍ରୀ ବିକି ସେମାନେ ବର୍ଷକର ଖୋରାକ ଯୋଗାଡ଼ କରିଥାନ୍ତି। ଏହାଛଡ଼ା ଖରା ଟାଣ ଧରିଲେ ବିଞ୍ଚଣା ବେପାରରୁ ବି ବେଶ୍‌ ଭଲ ଅର୍ଥ ହାତକୁ ଆସେ। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ସେମାନଙ୍କ ବେପାରରେ ତାଲା ପଡ଼ିଯାଇଛି। ହାଟ, ବଜାରରେ ଗହଳି ନ ଥିବା ବେଳେ ପୂଜା, ବିବାହ, ବ୍ରତ ଆଦି କେବଳ ବିଧି ପାଳନରେ ସୀମିତ ରହିଯାଇଛି। ତେଣୁ ଘରେ ଘରେ ପ୍ରସ୍ତୁତ ସାମଗ୍ରୀ ମହଜୁଦ କରି ରଖିବା ଛଡ଼ା କିଛି ଉପାୟ ନାହିଁ। ବେଡି ବେହେରାଙ୍କ ୨୦୦ ବିଞ୍ଚଣା ବିକ୍ରି ହୋଇପାରି ନାହିଁ। ବନିତା ବେହେରାଙ୍କ ୧୫୦ ଫୁଲତୋଳା ଚାଙ୍ଗୁଡ଼ି, ନାରଣ ବେହେରାଙ୍କ ୨୫୦ କୁଲା ଓ ବିଞ୍ଚଣା, ସୁମିତ୍ରା ବେହେରାଙ୍କ ୧୧୦ ଗାଣ୍ଡୁଆ, ନର୍ମଦା ବେହେରାଙ୍କ ୩୫୦ ବିଞ୍ଚଣା, ଶାନ୍ତିଲତା ବେହେରାଙ୍କ ୭୫ କୁଲା, ସୁମତି ବେହେରାଙ୍କ ୪୦୦ ଗାଣ୍ଡୁଆ ଓ ଡାଲା, ଜିତୁ ବେହେରାଙ୍କ ୧୫୦ ଗାଣ୍ଡୁଆ, ବିପ୍ର ବେହେରାଙ୍କ ୫୫୦ ଗାଣ୍ଡୁଆ, ବିଞ୍ଚଣା, ଫୁଲଦାନି, ଡାଲା, କୁଲା ଆଦି ଘରେ ପଡ଼ିରହିଛି। ପୁରୁଣା ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ନୂଆ ବି ପ୍ରସ୍ତୁତ କରାଯାଇପାରୁ ନାହିଁ। ଏମିତି ଏମିତିରେ ଅଧା ବରଷ ବିତିଯିବାକୁ ବସିଥିବା ବେଳେ ହାତକୁ ଦୁଇପଇସା ଆସିପାରୁ ନାହିଁ। ତେଣୁ ସରକାର ଆମକୁ ଉଦ୍ଧାର ନ କଲେ ଗଁାର ଏହି କାରିଗର ପରିବାରମାନେ ଉପବାସରେ ରହିବା ସାର ହେବ ବୋଲି ବେଡି ବେହେରା, ବନିତା ବେହେରା ଓ ସୁମିତ୍ରା ବେହେରା ପ୍ରକାଶ କରିଛନ୍ତି।