ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ
ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି ତଳିପାଦ ପର୍ଯ୍ୟନ୍ତ ବିଭିନ୍ନ ଅଙ୍ଗରେ ପୀଡ଼ା ଅନୁଭବ କରୁ। ଯେପରି ମୁଣ୍ଡବ୍ୟଥା, କାନଟଣା, ଆଖିଧରା, ନାକ ବନ୍ଦ, ଦାନ୍ତବିନ୍ଧାଠାରୁ ଆରମ୍ଭ କରି ପାଦଗଣ୍ଠି ବିନ୍ଧା ପର୍ଯ୍ୟନ୍ତ ବିଭିନ୍ନ ପୀଡ଼ା। ଏସବୁକୁ କୁହାଯାଏ କମନ ଡିଜିଜ୍‌ ବା ସାଧାରଣ ରୋଗ। ରୋଗକୁ ଇଂଲିଶରେ କୁହାଯାଏ ଡିଜିଜ୍‌। ଏହା ଦୁଇଟି ଇଂଲିଶ ଶବ୍ଦର ମିଶ୍ରଣ ଯଥା ଡିସ୍‌ ଓ ଇଜି, ଯାହାର ଅର୍ଥ ଅସହଜ ବା ଅସ୍ବସ୍ତି। ଆମେ ରୋଗ ବା ଅସ୍ବସ୍ତିର ଶିକାର ହେଲେ, ଆରୋଗ୍ୟ ପାଇଁ ଡାକ୍ତରଙ୍କ ପାଖକୁ ଯାଉ। ଶୀଘ୍ର ରୋଗରୁ ଉପଶମ ପାଇବାକୁ ଆମେ ସାଧାରଣତଃ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯାଉ। ନାନା ଠେଲାପେଲା ଅତିକ୍ରମ କରି ଡାକ୍ତରଙ୍କ ସମ୍ମୁଖରେ ପହଞ୍ଚିଗଲେ, ଡାକ୍ତର ଆମ ରୋଗର କାରଣ ନ ପଚାରି, ରୋଗର ଲକ୍ଷଣ ବିଷୟରେ ଗୋଟିଏ, ଦିଓଟି ପ୍ରଶ୍ନ କରି ରକ୍ତ ବା ଅନ୍ୟ ପରୀକ୍ଷା ପାଇଁ ଉପଦେଶ ଦିଅନ୍ତି। ପରୀକ୍ଷା ରିପୋର୍ଟ ସହ ଡାକ୍ତରଙ୍କୁ ପୁନର୍ବାର ଦେଖାକଲେ, ସେ ଔଷଧ ଲେଖିଦିଅନ୍ତି। ବଜାରରୁ ଔଷଧ କିଣି ସେବନ କଲେ, ରୋଗରୁ କିଛି ଉପଶମ ପାଉ। ଡାକ୍ତରଙ୍କ ଫି’, ବିଭିନ୍ନ ପରୀକ୍ଷାର ଫି’ ସାଙ୍ଗକୁ ଔଷଧ କିଣାରେ ଖର୍ଚ୍ଚାନ୍ତ ହେବା ସହ ଡାକ୍ତର, ପରୀକ୍ଷାଗାର ଓ ଔଷଧ ଦୋକାନକୁ ଧାଇଁ ଯେଉଁ ଔଷଧ ଆଣି ସେବନ କରୁ, ସେ ଔଷଧ ଆମକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ନ କରି ସାମୟିକ ଉପଶମ ଦିଏ ଓ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଦ୍ୱାରା ଆମ ଶରୀର ଆକ୍ରାନ୍ତ ହୋଇ ଭିନ୍ନ ରୋଗ ପାଇଁ ବାଟ ମଧ୍ୟ ଖୋଲିଦେଇପାରେ। ଔଷଧକୁ ହିନ୍ଦୀରେ କୁହାଯାଏ ଦବାଇ ଅର୍ଥାତ୍‌ ଔଷଧ ରୋଗକୁ ଦବାଇଦିଏ। ଅଧିକ ଔଷଧ ସେବନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମାଇ ଆମ ପରମାୟୁ ବା ଆୟୁଷ କ୍ଷୟ କରେ। ଏ ଭେଷଜ ଚିକିତ୍ସା ବାହାରେ ଆଉ ଏକ ଚିକିତ୍ସା ପ୍ରଣାଳୀ ଅଛି, ଯେଉଁଥିରେ ଆଦୌ ଖର୍ଚ୍ଚାନ୍ତ ହେବାକୁ ପଡିବନି କି ଡାକ୍ତର, ପରୀକ୍ଷାଗାର ଓ ବଜାରକୁ ଦୌଡିବାକୁ ପଡିବନି। ସେଥିରେ ଆମ ଶରୀର ସମ୍ପୂର୍ଣ୍ଣ ରୋଗମୁକ୍ତ ହେବା ସାଙ୍ଗକୁ ଆମ ଆୟୁଷ ନ କମି ବରଂ ବଢିଯିବ। ସେ ଚିକିତ୍ସା ହେଲା ଯୋଗ ଥେରାପି ବା ଯୋଗ ଚିକିତ୍ସା। ଯୋଗ ଚିକିତ୍ସାର ଉତ୍ପତ୍ତିସ୍ଥଳ ହେଉଛି ଆମ ଦେଶ ଭାରତ। ଯୋଗ ଶବ୍ଦର ଉତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ ଯୁଜ୍‌ରୁ, ଯାହାର ଅର୍ଥ ଯୋଡିହେବା (ପରମାତ୍ମା ସହ ଆତ୍ମା ଯୋଡି ହୋଇଯିବା)। ଯୋଗ ଚିକିତ୍ସା ଦ୍ୱାରା ଆମ ପୂର୍ବପୁରୁଷ ମୁନି, ଋଷିମାନେ ଶହ ଶହ ବର୍ଷ ନିରାମୟ ଓ ସୁଖକର ଜୀବନଯାପନ କରୁଥିଲେ ବୋଲି ଆମ ପୁରାଣ କହେ। ଯୋଗ ବିଜ୍ଞାନ ଏକ ଉନ୍ନତ ବିଜ୍ଞାନ ବୋଲି ଏହା ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପ୍ରଚାର ଓ ପ୍ରସାର ଲାଭ କରୁଛି।
ଜଣେ ରୋଗୀ ଯୋଗ ଚିକିତ୍ସା ଆପଣେଇବା ପୂର୍ବରୁ ଏ ଚିକିତ୍ସା ବିଷୟରେ ତା’ର ସମ୍ୟକ୍‌ ଧାରଣା ରହିବା ଦରକାର। ଏ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ଆମେ ରୋଗର ଶିକାର ହେଲେ, ବ୍ୟାକୁଳ ହୋଇପଡୁ ରୋଗରୂପକ ଶତ୍ରୁ କବଳରୁ ତୁରନ୍ତ ମୁକ୍ତି ପାଇବାକୁ। କିନ୍ତୁ ଯୋଗଗୁରୁ ବା ଯୋଗୀ ରୋଗକୁ ଶତ୍ରୁ ନ ମଣି ତାକୁ ବନ୍ଧୁଭାବେ ଗ୍ରହଣ କରନ୍ତି। ଯଦି ଜଣେ ଭୁଲ୍‌ ମାର୍ଗରେ ଯାଉଛନ୍ତି ଓ ଆଗକୁ ବିପଦ ଥିବା କଥା ତାଙ୍କୁ ଯେ ଜଣାଇ ଦିଅନ୍ତି, ତାଙ୍କୁ ବନ୍ଧୁ କୁହାଯାଏ। ରୋଗ ଆମ ଶରୀରରେ ପ୍ରବେଶ କରି ଆମକୁ ଚେତାଇଦିଏ ଯେ, ଆମ ଜୀବନଚର୍ଯ୍ୟାରେ କେଉଁଠି ଭୁଲ୍‌ ରହିଯାଉଛି ଓ ଆମେ ଅବାଟରେ ଯାଇ, ଅକାଳମୃତ୍ୟୁ ଆଡକୁ ଅଗ୍ରସର ହେଉଛୁ। ବନ୍ଧୁ ବା ଅତିଥିଙ୍କୁ ଯେପରି ଉପଯୁକ୍ତ ସତ୍କାର କରି ବିଦା କରିଦିଆଯାଏ, ସେହିପରି ଉପଯୁକ୍ତ ଚିକିତ୍ସା କରି ରୋଗରୂପୀ ଅତିଥିଙ୍କୁ ଯୋଗୀ ଶରୀରରୁ ବିଦାୟ ଦିଅନ୍ତି। ଯେଉଁ ପଥ ଦେଇ ରୋଗ ଶରୀରରେ ପ୍ରବେଶ କରିଥିଲା, ସେ ପଥକୁ ଯୋଗୀ ଏପରି ବନ୍ଦ କରିଦିଅନ୍ତି, ଯାହାଫଳରେ ରୋଗ ଆଉ ସେ ଶରୀରରେ ପ୍ରବେଶ କରିପାରିବନି। ଆମ ଶରୀର ଏକ ମାଟି କାନ୍ଥ ପରି ଓ ଏଥିରେ ବିଭିନ୍ନ ସମୟରେ ଛିଦ୍ର ହୋଇ, ସେ ଛିଦ୍ରବାଟେ ରୋଗ ପ୍ରବେଶ କରେ, କିନ୍ତୁ ଜଣେ ଯୋଗୀ ତାଙ୍କ ଶରୀରକୁ ଅଭେଦ୍ୟ ପକ୍କାକାନ୍ଥ କରିଦିଅନ୍ତି, ଯେଉଁଥିରେ ଛିଦ୍ର ହୋଇ ପାରିବନି କି ରୋଗ ପ୍ରବେଶ କରିପାରିବନି।
ଯୁବା ବୟସରେ ଓ ଆରମ୍ଭ ହେଉଥିବା ରୋଗ ଉପରେ ଯୋଗ ଗଭୀର ପ୍ରଭାବ ପକାଏ କିନ୍ତୁ ଡାକ୍ତରୀ ଚିକିତ୍ସାରେ ଆରୋଗ୍ୟ ନ ହୋଇପାରି ଶେଷଅସ୍ତ୍ର ଭାବେ ଯୋଗ ଚିକିତ୍ସା କଲେ, ଯୋଗ ଧୀରେ ଧୀରେ ରୋଗ ଉପରେ ପ୍ରଭାବ ବିସ୍ତାର କରେ। ରୋଗୀ ଓ ରୋଗର ବିଭିନ୍ନତା ଉପରେ ଯୋଗର ପ୍ରଭାବ ଭିନ୍ନ ଭିନ୍ନ ଭାବେ ପଡେ। ଯୋଗ ଅଭ୍ୟାସ ପୂର୍ବରୁ ରୋଗକୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ପାରିଲେ ଭଲ। ଏହା ଫଳରେ ରୋଗର ସ୍ଥିତିକୁ ସହଜରେ ଆକଳନ କରାଯାଇପାରେ। ଯୋଗଗୁରୁଙ୍କ ପରାମର୍ଶ ନେଇ ରୋଗୀ ଯୋଗାଭ୍ୟାସ କରିବା ଦରକାର। ଉଚ୍ଚ ରକ୍ତଚାପ ଓ ଉଚ୍ଚ ରକ୍ତଶର୍କରା ଥିବା ରୋଗୀ ଯୋଗଗୁରୁଙ୍କ ବିନା ପରାମର୍ଶରେ ପୁସ୍ତକ ଦେଖି ଯୋଗ କରିବା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଯୋଗାଭ୍ୟାସ ଆରମ୍ଭ କଲେ, ପ୍ରଥମେ ଯୋଗ ରୋଗର ପ୍ରକୋପରେ ଲଗାମ ଦିଏ ଓ ରୋଗୀ ସାମାନ୍ୟ ଉପଶମ ଅନୁଭବ କରେ। କେତେକ କ୍ଷେତ୍ରରେ ରୋଗୀ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶରେ ପ୍ରଥମେ ଔଷଧ ସେବନ କରି, ପରେ ଯୋଗାଭ୍ୟାସ କରିବା ଭଲ। ଯୋଗ ପ୍ରଭାବ ବିସ୍ତାର କରି, ରୋଗକୁ ପଶ୍ଚାତ୍‌ ଗମନ କରାଇଲେ, ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧର ମାତ୍ରା କମାଇବାକୁ ହୁଏ। ଭିନ୍ନ ଭିନ୍ନ ଯୋଗାସନ ଦ୍ୱାରା ଭିନ୍ନ ଭିନ୍ନ ରୋଗର ଚିକିତ୍ସା କରାଯାଏ। ଆବଶ୍ୟକ ଆସନ ଓ ପ୍ରାଣାୟାମ ପାଇଁ ଯୋଗ ଗୁରୁ ମାର୍ଗ ବତାନ୍ତି। ଆଜିର ଯୋଗ ଦିବସରେ ଆମେ ରୋଗ ଚିକିତ୍ସା ଓ ନିରାମୟ ଜୀବନ ପାଇଁ ଯୋଗମାର୍ଗକୁ ଆପଣାଇବା ଲାଗି ଶପଥ ନେବା ଓ ଆଜିଠାରୁ ଯୋଗାଭ୍ୟାସ ଆରମ୍ଭ କରିବା ଉଚିତ।
କୋଟି ତୀର୍ଥ, ଓଲ୍‌ଡଟାଉନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri