ରୋଗୀଙ୍କ ପର୍ସ, ମୋବାଇଲ୍‌, ଫେରାଇ ଆମ୍ବୁଲାନ୍ସ କର୍ମଚାରୀ ପ୍ରଶଂସିତ

ଭୁବନେଶ୍ୱର,୧୬।୩(ବ୍ୟୁରୋ)କେତେଜଣ ଲୋକ ଅଛନ୍ତି, ଯେଉଁମାନେ ମାନବିକତାକୁ ସର୍ବାଗ୍ରେ ରଖିଥାନ୍ତି। ଏକ ୧୦୮ ଆମ୍ବୁଲାନ୍ସର ୩ଜଣ କର୍ମଚାରୀ ମଧ୍ୟ ମାନବିକତା ଦେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେମାନେ ଜଣେ ରୋଗୀଙ୍କ ପର୍ସ ଓ ମୋବାଇଲ ଫୋନ ଫେରାଇ ପ୍ରଶଂସା ସାଉଁଟିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ଅଧୀନ ମହାକାଳପଡ଼ା ବ୍ଲକର ନାଳଡିଆଠାରେ ଗତମାସ ୧୯ ତାରିଖରେ ପ୍ରିୟରଞ୍ଜନ ଲେଙ୍କା ନାମକ ଜଣେ ୨୬ ବର୍ଷୀୟ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଖବରପାଇ ଆମ୍ବୁଲାନ୍ସ ଚାଳକ ବିଭୂତି, ଭୂଷଣ ସ୍ବାଇଁ, ଇଏମ୍‌ଟି ଏସ୍‌କେ ସନ୍ତୋଷ କୁମାର ଏବଂ ସହାୟକ ଆଲୋକ କୁମାର ମଲିକ ୧୦୮ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରିୟରଞ୍ଜନ ଅଚେତ ଥିବାବେଳେ ଦୁର୍ଘଟଣାସ୍ଥଳରେ କୌଣସି ପରିବାର ସଦସ୍ୟ ଉପସ୍ଥିତ ନଥିଲେ। ଆମ୍ବୁଲାନ୍ସ କର୍ମଚାରୀମାନେ ସେଠାରୁ ପ୍ରିୟରଞ୍ଜନଙ୍କ ପର୍ସ ଓ ମୋବାଇଲ ଫୋନ ପାଇଥିଲେ। ଉକ୍ତ ଫୋନ ମାଧ୍ୟମରେ ସେମାନେ ପ୍ରିୟରଞ୍ଜନଙ୍କ ପରିବାର ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡକାଇଥିଲେ। ଘରଠାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା କମ୍‌ ହୋଇଥିବାରୁ ରୋଗୀଙ୍କୁ ସେହିଠାରେ ହିଁ ରଖାଯାଇଥିଲା। ଏହାପରେ ରୋଗୀଙ୍କର ପରିବାର ସଦସ୍ୟମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପରେ ଆମ୍ବୁଲାନ୍ସ ଚାଳକ ବିଭୂତି ଭୂଷଣ ସ୍ବାଇଁ ଘଟଣାସ୍ଥଳରୁ ପାଇଥିବା ପର୍ସ ଓ ମୋବାଇଲକୁ ସେମାନଙ୍କୁ ହସ୍ତାନ୍ତର କରିଥିଲେ।