ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ : ଡ଼ାକ୍ତରଖାନାରେ ହୋହଲ୍ଲା

କପ୍ତିପଦା,୧୬ା୧୨(ଡ଼ିଏନ୍‌ଏ)- କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଜଣେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ଼ାକ୍ତରଖାନାରେ ହୋହଲ୍ଲା କରିବାରୁ କିଛି ସମୟ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁଯାୟୀ, ବଡ଼ଖଲାଡ଼ି ପଞ୍ଚାୟତ ଅନ୍ତର୍ଗତ ଦୁଣ୍ଡରିଆ ଗ୍ରାମର ନରେନ୍ଦ୍ର ମହାନ୍ତି ଝାଡ଼ାରେ ଆକ୍ରାନ୍ତ ହେବାରୁ ତାଙ୍କୁ ରବିବାର କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଖାନା ତରଫରୁ ତାଙ୍କୁ ଏକ ସାଲାଇନ୍‌ ଦିଆଯାଇଥିଲା। ଏହି ସାଲାଇନ ନଭେମ୍ବର ୨୦୧୬ରେ ପ୍ରସ୍ତୁତ କରାଯାଇଥିବାବେଳେ ଏହାର ଏକ୍ସପାରୀ ତାରିଖ ରହିଥିଲା ଅକ୍ଟୋବର ୨୦୧୯। ତେବେ ପରିବାର ଲୋକେ ଏହା ଦେଖିବା ପରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ। ପରେ ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। କପ୍ତିପଦା ଥାନା ଆଇଆଇସି ରୀନା ବେହେରା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ତେବେ ଡାକ୍ତରଖାନରେ ଥିବା ଡ୍ୟୁଟି ରୁମ୍‌ରୁ ଆଉ ୪ଟି ଏଭଳି ଏକ୍ସପାରୀ ସାଲାଇନ୍‌ ମିଳିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ପଚାରିବାରୁ ଅସାବଧାନତା ଯୋଗୁ ଏଭଳି ତ୍ରୁଟି ହୋଇଛି ଓ ଏହାର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।