ରୋକାଗଲା ନାବାଳିକା ବିବାହ

ଗଣିଆ,୫ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତରେ ମଙ୍ଗଳବାର ଏକ ନାବାଳିକା ବିବାହ ରୋକାଯାଇଛି। ୧୬ ବର୍ଷ ବୟସର ନାବାଳିକାଙ୍କ ମା’ କଟକ ଜିଲା ନରସିଂହପୁର ଅଞ୍ଚଳରେ ଝିଅର ବିବାହ ପାଇଁ ଠିକ୍‌ କରିଥିଲେ। ଆଉ କିଛିଦିନ ପରେ ବିବାହ ପାଇଁ ଉଭୟ ପରିବାର ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ବିଶେଷସୂତ୍ରରୁ ଖବର ପାଇ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ଲକ୍ଷ୍ମୀ ଦାସ, ସୁପରଭାଇଜର କଳ୍ପନା ମିଶ୍ର, ଟୁନି ଦାଶ ଓ ଚାଇଲ୍ଡଲାଇନର ଆନନ୍ଦ ଚନ୍ଦ୍ର ବେହେରା ଗ୍ରାମରେ ପହଞ୍ଚି ନାବାଳିକା ମା’ଙ୍କୁ ବୁଝାଶୁଝା କରିବା ସହ ବିବାହ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଜଣେ ଦିବ୍ୟାଙ୍ଗ ମହିଳା। ଆର୍ଥିକ ଅନଟନ ଲାଗିରହିଥିବାବେଳେ ଝିଅର ବିବାହ ହୋଇପାରିବ କି ନାହିଁ ଭାବି ତାଙ୍କ ମା’ ମାଟ୍ରିକ ପରୀକ୍ଷା ପରେ ପରେ ବିବାହ କରାଇଦେବାକୁ ମନସ୍ଥ କରିଥିଲେ।