ରେଷ୍ଟୁରାଣ୍ଟ ବ୍ୟବସାୟକୁ କରୋନା ମାଡ଼

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ମହାମାରୀ କରୋନା ଏବେ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଥିବାବେଳେ ଓଡ଼ିଶାରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ିଛି। କରୋନା ପାଇଁ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ରେଷ୍ଟୁରାଣ୍ଟରୁ ଆରମ୍ଭକରି ଜିମ୍‌ ପର୍ଯ୍ୟନ୍ତ ସବୁକିଛି ଏବେ ଫାଙ୍କା ପଡୁଛି। ଏପରି ସ୍ଥିତିରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କେଉଁଠି ଅଫର୍‌ର ଲୋଭ ଦେଖାଯାଉଛି ତ ଆଉ କେଉଁଠାରେ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପରିଚ୍ଛନ୍ନତାର ପ୍ରଚାର କରାଯାଉଛି। ଏହାସତ୍ତ୍ୱେ ଭୁବନେଶ୍ୱରର ଅଧିକାଂଶ ରେଷ୍ଟୁରାଣ୍ଟରେ ବେପାର ଏକପ୍ରକାର ବନ୍ଦ ହୋଇଯାଇଛି।
ସହରର ଅଧିକାଂଶ ସିଟ୍‌ଡାଉନ୍‌ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଥିବାବେଳେ ଟେକ୍‌ଆଉଟ୍‌ ଓ ଡେଲିଭରି ଅପ୍‌ଶନ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ଖୋଲାରହିଛି। ତେଣୁ ଯାହା ବି ବ୍ୟବସାୟ ହେଉଛି ତାହା ଅନ୍‌ଲାଇନ୍‌ ଡେଲିଭରି ଓ ଅଫ୍‌ଲାଇନ୍‌ ହୋମ୍‌ ଡେଲିଭରୀରେ ହେଉଛି। ଏହାବ୍ୟତୀତ ଛୋଟ ଛୋଟ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଲୋକେ ଖାଇବା ପରିବର୍ତ୍ତେ ପ୍ୟାକ୍‌ କରି ଘରକୁ ନେବାକୁ ଅଧିକ ପସନ୍ଦ କରୁଛନ୍ତି। ଏପଟେ ଫୁଡ୍‌ ଡେଲିଭରୀ ଆପ୍‌ ‘ଜୋମାଟୋ’ ଏବଂ ‘ସ୍ବିଗି’ ଉପରେ ମଧ୍ୟ ଅନେକେ ଭରସା କରୁଛନ୍ତି। ଉଭୟ ଡେଲିଭରି ସଂସ୍ଥା କରୋନା ସଂକ୍ରମଣ ଯୋଗୁ ‘ନୋ ଟଚ୍‌’ ଡେଲିଭରି ସୁବିଧା ରଖିଥିବାବେଳେ ଗ୍ରାହକ ଅର୍ଡର କରିବା ପୂର୍ବରୁ ଆପ୍‌ରେ ଥିବା ଡେଲିଭରି ଇନ୍‌ଷ୍ଟ୍ରକ୍ସନ ଫିଚରରେ ନିଜ ପସନ୍ଦ ମୁତାବକ ଫିଚର ବାଛି ଅର୍ଡର କରିପାରୁଛନ୍ତି। ସେହିଭଳି ଡେଲିଭରି ପାର୍ଟନର୍‌ ତଥା ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକୁ ସ୍ବଚ୍ଛତା ବଜାୟ ରଖିବା ସହ କର୍ମଚାରୀ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରାଯାଇଛି। ତେବେ ଏହାପରେ ମଧ୍ୟ ଅନେକେ ଅର୍ଡର କରିବା ପରିବର୍ତ୍ତେ ନିଜେ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରୁଛନ୍ତି। ରେଷ୍ଟୁରାଣ୍ଟଗୁଡ଼ିକ ମାର୍ଚ୍ଚ ଆରମ୍ଭରୁ ୫୦ ପ୍ରତିଶତ ଗ୍ରାହକ ହରାଇଥିବାବେଳେ ଏବେ ସ୍ଥିିତି ଆହୁରି ଜଟିଳ ହୋଇଯାଇଛି। ସେହିଭଳି ମଲ୍‌ରେ ଥିବା ରେଷ୍ଟୁରାଣ୍ଟ ଓ ଅଧିକାଂଶ ମଲ୍ଟିକଜିନ୍‌ ରେଷ୍ଟୁରାଣ୍ଟ ବର୍ତ୍ତମାନ ସମୟରେ ବନ୍ଦ ହୋଇପଡ଼ିଛି।