ରେଳ ବିଭାଗ ଅଧୀନ ରାସ୍ତାର ଦୁରବସ୍ଥା

କେନ୍ଦୁଝର,୨୪।୮ (ସ୍ବ.ପ୍ର.)- ରେଳପଥ ବିକାଶରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ରେଳ ବିଭାଗ ଅଧୀନରେ ଥିବା ରାସ୍ତାର ଦୁରବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଦଗଡ଼ ରେଲୱେ ଫାଟକ ଦେଇ ଯାଇଥିବା ପଦ୍ମପୁର-ନୂଆଗାଁ ରାସ୍ତା ରହିଛି। ଏହାର ଅଧାଅଂଶକୁ ପିଚୁ ରାସ୍ତାରେ ପରିଣତ କରାଯାଇଥିଲେ ମଧ୍ୟ ରେଲୱେ ଫାଟକ ନିକଟରେ ଥିବା ୨୦୦ମିଟର ରାସ୍ତା ଅସମ୍ପୂୂର୍ଣ୍ଣ ରହିଛି। ରେଳବିଭାଗ ଅଧୀନରେ ରାସ୍ତା ଥିବାରୁ ଏହାର ମରାମତି ହୋଇପାରୁ ନାହିଁ ା ଉକ୍ତ ରାସ୍ତା ଦେଇଯିବା ବେଳେ ପଡେ ଏକ ଛୋଟ ଘୋସରା ପୋଲ। ବର୍ଷା ହେଲେ ରେଲୱେ ଫାଟକ ନିକଟରେ ଥିବା ଏହି ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥାଏ। ଫଳରେ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଏ। ରାସ୍ତା ଦେଇ ସ୍କୁଲ କଲେଜ ଯାଉଥିବା ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ଓ ଜନସାଧାରଣ ବହୁ ହଇରାଣ ହୋଇଥାନ୍ତି । ଏ ପରିକି ୧୦୮ ଆମ୍ବୁଲାନ୍ସ ସମେତ ସରକାରୀ ଓ ବେସରକାରୀ ଯାନବାହନ ଚଳାଚଳ ବ୍ୟାହତ ହୋଇଥାଏ। ନୂଆଗଁା ବ୍ୟତୀତ ମହାଦେଈଯୋଡ଼ା, ରାଇସୁଆଁ, ବରଦାପାଳ, ଫୁଲଝର, ପଦ୍ମପୁର, ଗୋବର୍ଦ୍ଧନ, ଶଙ୍କିରୀ, ବାଉରୀପଦା, ଗୋପୀନାଥପୁର, ପଳାଶପଙ୍ଗା, ପର୍ଜନପୁର,କାଉଁରୀକଳା ଆଦି ୧୨ ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରି ଚଳାଚଳ କରିଥାନ୍ତି । ଏଥିଲାଗି ଅଞ୍ଚଳବାସୀ ବହୁବାର କେନ୍ଦୁଝର ଜିଲା ପ୍ରଶାସନ ଓ ରେଳବିଭାଗ ନିକଟରେ ଅଭିଯୋଗ କରି ଆସୁୁଥିଲେ ମଧ୍ୟ ଏହାର କିଛି ପ୍ରତିକାର ହେଉ ନ ଥିବା ଅଭିଯୋଗ କରିଛନ୍ତି।