ରେଳଧାରଣା କଡରୁ ମିଳିଲା ନବଜାତ ଶିଶୁକନ୍ୟା

ବରଗଡ ଅଫିସ, ୨୨।୧୨: ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି। ବରଗଡ ଜିଲା ପଦ୍ମପୁରସ୍ଥିତ ଏକ ଡ୍ରେନ ଭିତରୁ ଅଖାରେ ଭର୍ତ୍ତି ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣାର ଠିକ ୮ଦିନ ପରେ ରବିବାର ସକାଳୁ ବରପାଲି ରେଳଷ୍ଟେଶନ ନିକଟ ଯୋଗିମୁଣ୍ଡା ପାଖ ରେଳ ଧାରଣା କଡରେ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ଆଉଜଣେ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଏଠାରେ ଆଲୋଡ଼ନ ଖେଳାଇ ଦେଇଛି। ସେହି ବାଟ ଦେଇ ଯାଉଥିବା ଜଣେ ସହୃଦୟ ଲୋକ ବ୍ୟାଗ ଭିତରୁ ଶିଶୁକନ୍ୟାର କାନ୍ଦ ଶୁଣି ସେଥିରୁ ଶିଶୁଟିକୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ଆଣିଥିଲେ। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ଥିବାବେଳେ କିଏ କେଉଁ ପରିସ୍ଥିତିରେ ସେହି ଶିଶୁକନ୍ୟାକୁ ସେଠାରେ ସେଭଳି ଅବସ୍ଥାରେ ପକାଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏଠାରେ ପ୍ରକାଶଥାଉକି, ଗତ ୧୪ ତାରିଖରେ ପଦ୍ମପୁରସ୍ଥିତ ଏକ ଡ୍ରେନ ଭିତରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଏବେ ବରଗଡ ସହର ଉପକଣ୍ଠ ଅମ୍ବାପାଲିରେ ରହିଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଚାଳିତ ପୋଷ୍ୟ କେନ୍ଦ୍ରରେ ଅଛନ୍ତି।