ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ଗିରଫ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ରେଲ୍‌ଓ୍ବେରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ୫୦ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ରେଲ୍‌ଓ୍ବେ ଡେପୁଟି ଚିଫ୍‌ ଇଞ୍ଜିନିୟର ପ୍ରଶାନ୍ତ କୁମାର ବାଘଙ୍କୁ ସୋମବାର ପୋଲିସ ଗିରଫ କରିଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଆଇପିସି ଦଫା ୪୨୦, ୨୯୪ ଓ ୫୦୬ରେ ମାମଲା (ନଂ.୧୮୦/୧୯) ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କ ଜଣେ ସାଙ୍ଗ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ମାମଲା ସମାଧାନ ପାଇଁ ଚାପ ପକାଇବା ସହ ଧମକ ଚମକ ଦେଉଥିବା ଅଭିଯୋଗକାରୀ ଜଣାଇଛନ୍ତି। ସୂଚନା ଅନୁଯାୟୀ, ନୟାପଲ୍ଲୀ ଆଇଆର୍‌ସି ଭିଲେଜରେ ରହୁଥିବା ଠିକାଦାର ଚିତ୍ରସେନ ବାଘଙ୍କ ସମ୍‌ ଷ୍ଟିଲ୍‌ ନାମକ ଏକ ସଂସ୍ଥା ରହିଛି। ଅଭିଯୁକ୍ତ ପ୍ରଶାନ୍ତ ରେଲ୍‌ଓ୍ବେର ଏକ ୩୦ କୋଟିର ପ୍ରୋଜେକ୍ଟ କରାଇ ଦେବାକୁ କହି ୨୦୧୭ ଅକ୍ଟୋବରରେ ଚିତ୍ରସେନଙ୍କଠାରୁ ୫୦ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଫାଇଲ୍‌ କାର୍ଯ୍ୟ ଚାଲିଛି କହି ସେ ୨ବର୍ଷ ସମୟ ଗଡ଼ାଇଥିଲେ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର ସନ୍ଧ୍ୟାରେ ସେ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ତାଙ୍କ ଘରେ ଥିବା ଖବର ପାଇ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଦୁଇଟି ମାମଲାରେ ଖଣ୍ଡଗିରି ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିଲା।