ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ: ସେବାରେ ଆସୁନି ଦେୟମୁକ୍ତ ଶୌଚାଳୟ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ପ୍ରତିଦିନ ଭୁବନେଶ୍ୱରର ରେଲଓ୍ବେ ଷ୍ଟେଶନକୁ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯିବା ଆସିବା କରୁଛନ୍ତି। ହେଲେ ଆବଶ୍ୟକ ପରିମାଣର ଶୌଚାଳୟ ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏପରିକି ଏଠାରେ କେତେକ ଶୌଚାଳୟ ଦେୟମୁକ୍ତ ଥିଲେ ମଧ୍ୟ କୌଣସି ସୂଚନା ଫଳକ ନ ଥିବାରୁ ଲୋକେ ଜାଣି ନ ପାରି ଖୋଲାରେ ପରିସ୍ରା କରୁଛନ୍ତି। ଫଳରେ ପରିସ୍ରା ଗନ୍ଧରେ ନାକ ଫାଟି ପଡ଼ୁଛି। ଏ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଲଓ୍ବେ ପକ୍ଷରୁ ଖୋଲାରେ ପରିସ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବା ନେଇ ନିୟମ ଥିଲେ ବି ଏହା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ୨୦୧୭ରୁ ୩ଟି ବିଭାଗ ଆର୍‌ପିଏଫ, ଷ୍ଟେଶନ ହେଲ୍‌ଥ ଇନସ୍ପେକ୍ଟର ଓ ଟିକେଟ ଚେକିଂକୁ ଦାୟିତ୍ୱ ବଣ୍ଟାଯାଇଛି। ସେହି ବର୍ଷ ଅକ୍ଟୋବରରୁ ଡିସେମ୍ବର ସୁଦ୍ଧା ଆରପିଏଫ ୪୫୯ଟି ମାମଲାରେ ୪୯ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। ୨୦୧୮ରେ ବର୍ଷକ ଭିତରେ ୨,୩୪୭ଟି ମାମଲାରେ ୨,୪୦,୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ୪୫୯ ବ୍ୟକ୍ତିଙ୍କଠାରୁ ୪୫,୯୦୦ ଟଙ୍କା ଆଦାୟ କରାଯାଇଛି। ସିଏଚଆଇ(ହେଲ୍ଥ ଇନସ୍ପେକ୍ଟର) ମାତ୍ର ୩ଟି ଜରିମାନାରୁ ୩୦୦ଟଙ୍କା ଆଦାୟ କରିଛନ୍ତି। ଟିକେଟ୍‌ ଚେକିଂ ବିଭାଗ ପକ୍ଷରୁ ୨୦୧୮-୧୯ରେ ୮୭୪ ଟି ମାମଲାରେ ୮୭,୪୦୦ ଟଙ୍କା ଆଦାୟ କରାଯାଇଛି। ୨୦୧୯-୨୦ରେ ୪୦ ଟି ମାମଲାରେ ୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଜରିମାନା ଆଦାୟ କରାଯାଉଥିଲେ ବି ଖୋଲାରେ ପରିସ୍ରା କରିବା ଲୋକଙ୍କ ସଂଖ୍ୟା କମୁନାହଁି। ଷ୍ଟେଶନ ଭିତରେ ପ୍ଲାଟଫର୍ମ ନଂ.୧ରେ ଦୁଇପଟର ଶେଷ ଆଡକୁ ଦୁଇଟି ଦେୟଯୁକ୍ତ ଶୌଚାଳୟ ରହିଛି ଓ ପ୍ଲାଟଫର୍ମ ନଂ.୬ରେ ଗୋଟିଏ ଦେୟଯୁକ୍ତ ଶୌଚାଳୟ ରହିଛି। ଅନ୍ୟ ଶୌଚାଳୟ ସବୁ ପ୍ରତୀକ୍ଷାଳୟରେ ଅଛି। ଷ୍ଟେଶନ ଭିତରେ ଥିବା ଦେୟମୁକ୍ତ ଶୌଚାଳୟ ସମ୍ପର୍କରେ କୌଣସି ସୂଚନା ବା ଫଳକ ଲଗାଯାଇ ନ ଥିବାରୁ ଲୋକେ ଜାଣିପାରୁନାହାନ୍ତି। ଷ୍ଟେଶନକୁ ଟିକେଟ କରି ଆସିଥିବା ସମସ୍ତ ଯାତ୍ରୀ ପ୍ରତୀକ୍ଷାଳୟରେ ଥିବା ଶୌଚାଳୟକୁ ବ୍ୟବହାର କରିପାରିବେ ବୋଲି ରେଲଓ୍ବେ ପକ୍ଷରୁ ଜଣାପଡିଛି। କିନ୍ତୁ ଏ ସମ୍ପର୍କରେ ଯାତ୍ରୀମାନେ ଅବଗତ ନାହାନ୍ତି। ଏ ନେଇ ଷ୍ଟେଶନ କର୍ତ୍ତୃପକ୍ଷ କହିଛନ୍ତି, ଯାତ୍ରୀମାନେ ସ୍ବଚ୍ଛତା ଜ୍ଞାନ ରଖୁ ନ ଥିବାରୁ ପଦାରେ ପରିସ୍ରା କରୁଛନ୍ତି। ଆଗକୁ ସବୁ ପ୍ଲାଟଫର୍ମରେ ଶୌଚାଳୟ ତିଆରି ପାଇଁ ପ୍ରସ୍ତାବ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।