ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅଚାନକ ଚଢ଼ାଉ: ଧରାପଡ଼ିଲେ ୮ ଅଣଛାତ୍ର

କଟକ ଅଫିସ,୨୯।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବୁଧବାର ରାତି ପ୍ରାୟ ୧୦ଟାରେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ଅଚାନକ ଚଢ଼ାଉ କରିଛନ୍ତି। ଏହି ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ୮ଜଣ ଅଣଛାତ୍ର ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡ଼ିଛି। ଏହାଛଡ଼ା ଇଷ୍ଟ ହଷ୍ଟେଲରେ ମଧ୍ୟ କୁଳପତି ଯାଞ୍ଚ କରିଛନ୍ତି। ଚଢ଼ାଉ ସମୟରେ ବରିଷ୍ଠ ଅଧିକାରୀ ପ୍ରଫେସର ପଦନ କୁମାର ଜେନା, ଲୋକସମ୍ପର୍କ ଅଧିକାରୀ ଡ. ଜ୍ଞାନ ରଞ୍ଜନ ସ୍ବାଇଁ, ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କ ସମେତ ପୋଲିସ ଉପସ୍ଥିତ ଥିଲେ।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗର ସ୍ବାଗତ ଉତ୍ସବ ଆୟୋଜନ ପାଇଁ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ବୁଧବାର ଥିଲା ସ୍ବାଗତ ଉତ୍ସବର ପ୍ରଥମ ଦିବସ। ଏଣୁ ବିଶ୍ୱବିଦ୍ୟାଳୟ ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଅଣଛାତ୍ର ରହିଥିବା ଶୁଣିବାକୁ ମିଳିଥିଲା। କୁଳପତି ପ୍ରଫେସର ପାତ୍ର ହଠାତ୍‌ ରାତି ୧୦ଟାରେ ପହଞ୍ଚି ମୁଖ୍ୟ ଫାଟକ ତାଲା ପକାଇବା ସହ ଲନ୍‌ରେ ବସିଥିବା ସମସ୍ତ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିଲେ। ବିଶ୍ୱବିଦ୍ୟାଳୟର ପରିଚୟପତ୍ର ଦେଖାଇବାକୁ ମଧ୍ୟ କହିଥିଲେ। ଲନ୍‌, କୁଳପତିଙ୍କ କାର୍ଯ୍ୟାଳୟ ନିକଟ, ମନସ୍ତତ୍ତ୍ବ ବିଭାଗ ନିକଟରୁ ମୋଟ ୮ଜଣ ଅଣଛାତ୍ର ଚିହ୍ନଟ ହୋଇଥିଲେ । ଏମାନଙ୍କୁ ମାଲଗୋଦାମ ଥାନା ପୋଲିସ ପଚରାଉଚରା କରି ଛାଡ଼ି ଦେଇଥିଲା। ଏହା ପରେ ହଠାତ୍‌ ଇଷ୍ଟ ହଷ୍ଟେଲରେ ଯାଞ୍ଚ କରାଯାଇଥିଲା। ମାତ୍ର କୌଣସି ଅଣଛାତ୍ର ଧରା ପଡ଼ି ନ ଥିଲେ। ତେବେ ଅନେକ ପ୍ରକୋଷ୍ଠରେ ବାହାରୁ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ସବୁବେଳେ ନିଆଯିବ ବୋଲି କୁଳପତି ପ୍ରଫେସର ପାତ୍ର କହିଛନ୍ତି। ସୂଚନା ଥାଉକି, କିଛି ଦିନ ତଳେ ଇଷ୍ଟ ହଷ୍ଟେଲ ୱାର୍ଡେନ ଡ. ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କ ଗାଡ଼ି କିଛି ଅଣଛାତ୍ର ଭାଙ୍ଗିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଚଢ଼ାଉ ହେବାରୁ ଏହି ହଷ୍ଟେଲରୁ ଜଣେ ଅଣଛାତ୍ର ଧରା ପଡ଼ିଥିଲେ।