ରେଭେନ୍‌ଶାରେ ଲୋକପ୍ରିୟ ନାଁ ‘ବୋପା’,୬୨ ବର୍ଷ ହେବ ବିକୁଛନ୍ତି ପାଉଁରୁଟି

କଟକ ଅଫିସ,୪ା୧୨:ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ‘ବୋପା’ ନାମ ସହ ଅନେକେ ପରିଚିତ। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଧ୍ୟାପିକାଅଧ୍ୟାପକମାନେ ମଧ୍ୟ ତାଙ୍କୁ ସେହି ନାମରେ ଡାକନ୍ତି। ଏଠାରେ ଶିକ୍ଷାଲାଭ କରି ଏବେ ରାଜ୍ୟ ରାଜନୀତିର ମନ୍ତ୍ରୀ, ବିଧାୟକ ପଦବୀରେ ଥିବା ନେତାଙ୍କ ପାଖରେ ମଧ୍ୟ ‘ବୋପା’ ନାମ ବେଶ୍‌ ପରିଚିତ। ଉଦୟନାଥ ସାହୁ ଓରଫ୍‌ ବୋପା। ବୟସ ୭୨ ବର୍ଷ। ୮ ବର୍ଷ ବୟସରେ ବାପାଙ୍କ ସାଙ୍ଗରେ କଟକ ଚାଲିଆସିଥିବା ଗଞ୍ଜାମ ଜିଲା ସୋରଡା ଅଞ୍ଚଳର ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା।
ଉଦୟନାଥ ଦିନେ ବାପାଙ୍କ ସହ ବିସ୍କୁଟ କମ୍ପାନୀ ଦେଖିବାକୁ କଟକ ଆସିଥିଲେ। ସେତେବେଳେ ତାଙ୍କୁ ୮ ବର୍ଷ ବୟସ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ଦାଦାଙ୍କ ବିସ୍କୁଟ କମ୍ପାନୀରେ ୨ ବର୍ଷ କାମ କରିଥିଲେ। ତାଙ୍କୁ ଯେତେବେଳେ ୧୦ବର୍ଷ ବୟସ ସେତେବେଳେ ସେ ରେଭେନ୍‌ଶା ଭିତରକୁ ବ୍ୟବସାୟ ପାଇଁ ପଶିଥିଲେ। ଗୋଟିଏ ଟିଣବାକ୍ସକୁ ମୁଣ୍ଡରେ ମୁଣ୍ଡାଇ ବିଶ୍ୱବିଦ୍ୟାଳୟ ପରିସର ଏବଂ ହଷ୍ଟେଲ ଇଲାକାରେ ସକାଳୁ ସନ୍ଧ୍ୟା ଉଦୟନାଥ ଘୂରି ବୁଲନ୍ତି। ତାଙ୍କୁ ବୋପା ଡାକିବା ପଛରେ ଛୋଟିଆ କଥାଟିଏ ମଧ୍ୟ ଲୁଚି ରହିଛି। ଉଦୟନାଥ ସମସ୍ତଙ୍କୁ ବିସ୍କୁଟ ଦେଲାବେଳେ ବାପା ଏବଂ ମା’ ଭାବେ ସମ୍ବୋଧନ କରିଥାନ୍ତି। କାରଣ କଟକ ଆସିବା ପରେ ଉଦୟନାଥ ଘରକୁ ଯିବାକୁ ଏତେ ସମୟ ପାଇ ନ ଥାନ୍ତି, ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟକୁ ହିଁ ସେ ନିଜର ଘର ବୋଲି ଭାବନ୍ତି। ଏଠାକୁ ଅନେକ ବିଦ୍ୟାର୍ଥୀ ଆସି ଯାଇସାରିଲେଣି। ହେଲେ ନାଲିକୋଠା ପରିସରରେ ଏବେ ବି ତାଙ୍କର ପାଉଁରୁଟି, କେକ୍‌ ଆଦି ଖାଦ୍ୟର ପେଡି ସମସ୍ତଙ୍କ ପାଇଁ ଖୋଲା ରହିଛି। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଫୋର୍ଥ ପିଲାର ପାଖରେ ବିକ୍ରି ପାଇଁ ବୋପା ବସିଥାଆନ୍ତି। କେତେଜଣ ଛାତ୍ରୀଛାତ୍ରଙ୍କୁ ସେ ନିଜର ପାରିବାରିକ କାହାଣୀ କୁହନ୍ତି। ଛାତ୍ରୀଛାତ୍ରମାନେ ବି ସେମାନଙ୍କ ଅନୁଭୂତି ତାଙ୍କ ସହ ବାଣ୍ଟିଥାନ୍ତି। ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ସଂସାର। ବେପାରରୁ ଟିକିଏ ସମୟ ବାହାର କରି ନିଜ ପିଲାମାନଙ୍କୁ ଦେଖିବାକୁ ଯାଆନ୍ତି।

ଅଶୋକ କୁମାର ବାରିକ