Categories: ବାଣିଜ୍ୟ

ରେପୋ ରେଟ୍‌ ହ୍ରାସର ସଙ୍କେତ ଦେଲେ ସୀତାରାମନ୍‌

ନୂଆଦିଲ୍ଲୀ,୩୦-୭: ଅଗଷ୍ଟ ପ୍ରଥମ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଏହାପୂର୍ବରୁ ରେପୋ ରେଟ୍‌ ହ୍ରାସ ପାଇବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଙ୍କେତ ଦେଇଛନ୍ତି। ମିିଡିଆ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ରେପୋ ରେଟ୍‌ ହ୍ରାସ ପାଉ ଏହା ତାଙ୍କର ଆନ୍ତରିକ ଇଚ୍ଛା। ଏହା ଦେଶ ପାଇଁ ନିଶ୍ଚିତ ଭାବେ ଶୁଭ ସଙ୍କେତ ହେବ। ସେ କହିଛନ୍ତି ଯେ, ଆର୍‌ବିଆଇ ରେପୋ ରେଟ୍‌ ହ୍ରାସ କରିବା ମାତ୍ରେ ବ୍ୟାଙ୍କଗୁଡିକ ଏହାର ଫାଇଦା ଗ୍ରାହକଙ୍କୁ ଦେବେ ବୋଲି ସମସ୍ତେ ଆଶାକରନ୍ତି। କାରଣ ଏହାଦ୍ୱାରା ଗୃହ ଋଣ, ଅଟୋ ଋଣ ତଥା ଅନ୍ୟ ସମସ୍ତ ପ୍ରକାର ଋଣ ଶସ୍ତା ହେବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମୁଦ୍ରାନୀତି ସ୍ଥିର କରିବା ବେଳେ ଆର୍‌ବିଆଇ ଉଦାର ମନୋଭାବ ଆପଣାଇବ ବୋଲି ତାଙ୍କର ଆଶା। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ୦.୭୫% ରେପୋ ରେଟ୍‌ ହ୍ରାସ କରିସାରିଛନ୍ତି। ଆହୁରି କମାଇବାର ଆଶା ରହିଛି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ ପୁଣି ଥରେ ସୁଧ ହାର ହ୍ରାସ କରିବା ଅପେକ୍ଷା ପୂର୍ବରୁ ହ୍ରାସ ପାଇଥିବା ସୁଧ ହାର ଯେପରି ଗ୍ରାହକଙ୍କ ନିକଟରେ ପହଞ୍ଚତ୍ବ ତାହା ଆର୍‌ବିଆଇ ଦେଖୁ। ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ରେପୋ ରେଟ ହ୍ରାସର ଫାଇଦା ଗ୍ରାହକଙ୍କୁ ଦେବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ କହିସାରିଛନ୍ତି।

Share