Categories: ଖେଳ

ରେକର୍ଡ ସହ ଭର୍ଷ୍ଟାପେନ୍‌ଙ୍କ ପୋଲ ପୋଜିଶନ

ହଙ୍ଗାରୋରିଂ (ହଙ୍ଗେରୀ), ୪ା୮ (ଏଏଫ୍‌ପି)-ରେକର୍ଡ ବ୍ରେକିଂ ସ୍ପିଡ୍‌ ସହ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ୍‌ରେ ତାଙ୍କ ବହୁ ପ୍ରତିକ୍ଷିତ ପ୍ରଥମ ପୋଲ ପୋଜିଶନ ହାସଲ କରିଛନ୍ତି। ଶନିବାର ହଙ୍ଗେରିଆନ ଗ୍ରାଁ ପ୍ରିର କ୍ୱାଲିଫାଇଙ୍ଗ ସେସନ ଅନୁଷ୍ଠିତ ହୋଇଥିଲା। ଡ୍ରାଇଭରମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଭର୍ଷ୍ଟାପେନ୍‌ ରେଡ୍‌ ବୁଲ୍‌ ପାଇଁ ଶ୍ରେଷ୍ଠ ଟାଇମିଂ ରେକର୍ଡ ପ୍ରତିଷ୍ଠା କରିଥିଲେ। ଫୁର୍ମୁଲା ଓ୍ବାନରେ ପୋଲ ପୋଜିଶନ ହାସଲ କରିବାରେ ସେ ୧୦୦ତମ ଡ୍ରାଇଭର ବିବେଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଏହି ହଙ୍ଗାରୋରିଂ ଟ୍ରାକ୍‌ରେ ୨୧ ବର୍ଷୀୟ ଭର୍ଷ୍ଟାପେନ୍‌ଙ୍କ ବାପା ଜୋସ୍‌ ୨୫ ବର୍ଷ ପୂର୍ବେ ୧୯୯୪ରେ ବେନେଟନ ତରଫରୁ ତାଙ୍କର ପ୍ରଥମ ପୋଡିୟମ ଫିନିଶ କରିଥିଲେ। ଡଚ୍‌ ଡ୍ରାଇଭର ଭର୍ଷ୍ଟାପେନଙ୍କ ଏହାହେଉଛି ୯୪ତମ ଗ୍ରାଁ ପ୍ରି। ସେ ଇତିମଧ୍ୟରେ ୭ଥର ଟାଇଟଲ ଜିତିସାରିଛନ୍ତି। ଏଠାରେ ତାଙ୍କ ଶ୍ରେଷ୍ଠ ଲାପ୍‌ ଟାଇମିଂ ଏକ ମିନିଟ ୧୪.୫୭୨ ସେକେଣ୍ଡ ରହିଥିଲା। ତାଙ୍କଠାରୁ ମାତ୍ର ୦.୦୧୮ ସେକେଣ୍ଡ ଟାଇମିଂ ବ୍ୟବଧାନରେ ମର୍ସିଡିଜର ଭାଲଟେରୀ ବୋଟାସ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବୋଟାସଙ୍କ ଟିମ୍‌ମେଟ ଲୁଇସ ହାମିଲଟନଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଫେରାରିର ଚାର୍ଲସ ଲେକ୍‌ଲେର୍କ ଏବଂ ସେବାଷ୍ଟିଆନ ଭେଟେଲ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ହୋଇଥିଲେ।

Share