Categories: ଜାତୀୟ

ରୁଷିଆରୁ ଟ୍ୟାଙ୍କବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବ ଭାରତ

ନୂଆଦିଲ୍ଲୀ,୧ା୭: ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଭଳି ପରିସ୍ଥିତିରେ ନିଜକୁ ପ୍ରସ୍ତୁତ ରଖିବା ଲାଗି ରୁଷିଆରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବା ଲାଗି ଭାରତ ରାଜିନାମା ସ୍ବାକ୍ଷର କରିଛି। ଷ୍ଟ୍ରମ୍‌ ଅଟାକା ନାମକ ଏହି କ୍ଷେପଣାସ୍ତ୍ର ଏମ୍‌ଆଇ-୩୫ ଲଢ଼ୁଆ ହେଲିକପ୍ଟରରେ ମୁତୟନ କରାଯିବ। ଜରୁରିକାଳୀନ ବ୍ୟବସ୍ଥା ଅନୁଯାୟୀ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଥିବାରୁ ୩ ମାସ ମଧ୍ୟରେ ରୁଷିଆ ଉକ୍ତ କ୍ଷେପଣାସ୍ତ୍ର ଯୋଗାଇଦେବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।
୨୦୦ କୋଟି ଟଙ୍କାରେ ହୋଇଥିବା ଏହି ଚୁକ୍ତିନାମା ଅନୁଯାୟୀ ଷ୍ଟ୍ରମ୍‌ ଅଟାକା କ୍ଷେପଣାସ୍ତ୍ର ମିଳିବା ପରେ ଏହା ଏମ୍‌ଆଇ-୩୫ ହେଲିକପ୍ଟରର ଆକ୍ରମଣ ସାମର୍ଥ୍ୟ ବୃଦ୍ଧି କରିବ। ଏହା ଶତ୍ରୁପକ୍ଷର ଟ୍ୟାଙ୍କ୍‌କୁ ଧ୍ୱଂସ କରିବାରେ ସକ୍ଷମ ହୋଇପାରିବ। ବାୟୁସେନାରେ ଥିବା ଲଢ଼ୁଆ ହେଲିକପ୍ଟର ଏମ୍‌ଆଇ-୩୫ ସ୍ଥାନରେ ଆମେରିକାରୁ ଅଣାଯିବାକୁ ଥିବା ଆପାଚେ ହେଲିକପ୍ଟରକୁ ସାମିଲ କରାଯିବାର ଯୋଜନା ରହିଛି। ଆସନ୍ତା ମାସରୁ ଏହି ହେଲିକପ୍ଟର ଆମେରିକା ଯୋଗାଇଦେବ। ଭାରତ ରୁଷିଆଠାରୁ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବାକୁ ଦୀର୍ଘଦିନରୁ ଉଦ୍ୟମ କରିଆସୁଥିଲା। ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଜରୁରିକାଳୀନ ଆବଶ୍ୟକତା ଭିତ୍ତିରେ ଅସ୍ତ୍ର କିଣିବାରେ ଭାରତୀୟ ବାୟୁସେନା ଆଗରେ ରହିଛି। ଆକସ୍ମିକ ଯୁଦ୍ଧ ଲାଗି ନିଜକୁ ପ୍ରସ୍ତୁତ କରି ରଖିବାକୁ ବାୟୁସେନା ସ୍ପାଇସ୍‌-୨୦୦୦ ଯୁଦ୍ଧାସ୍ତ୍ର କିଣିବା ସହିତ ବିଭିନ୍ନ ଦେଶରୁ କ୍ଷେପଣାସ୍ତ୍ର କିଣିବା ଲାଗି ଚୁକ୍ତି ସ୍ବାକ୍ଷର କରିଛି।
ସେନା ଫ୍ରାନ୍ସରୁ ସ୍ପାଇକ୍‌ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍‌ ମିସାଇଲ ଏବଂ ରୁଷିଆରୁ ଇଗ୍‌ଲା-ଏସ୍‌ ଏୟାର ଡିଫେନ୍ସ ମିସାଇଲ ଜରୁରିକାଳୀନ ବ୍ୟବସ୍ଥାରେ କିଣିବା ପ୍ରକ୍ରିୟାରେ ରହିଛି। ସରକାର ୩ ବାହିନୀକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ କିଣିବା ଲାଗି କ୍ଷମତା ପ୍ରଦାନ କରିଛନ୍ତି। ଗତ ଫେବୃୟାରୀ ୧୪ରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ସେନାକୁ ଏହି ଜରୁରୀ କ୍ଷମତା ପ୍ରଦାନ କରିଥିଲେ। ପୁଲ୍‌ଓ୍ବାମା ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହା ପରଠାରୁ ପାକିସ୍ତାନ ସୀମା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି।

Share