Categories: ଗଞ୍ଜାମ

ରୁପା ଅଳଙ୍କାର ଚୋରି ଘଟଣାରେ ୩ ଗିରଫ

ବ୍ରହ୍ମପୁର ଅଫିସ,୮ା୯-ବଡବଜାର ଥାନା ମାଲସେନାପେଟା ସାହିରେ ଥିବା ଶ୍ରୀ ସାଇ ରିଫାଇନାରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏଥିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୬କେଜି ରୁପା ଗହଣା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଖାଲସୀ ସାହିର ଜି.ମୁରଲୀ ଆଚାରୀ(୩୪), ପଠାଣ ସାହିର ଶେଖ ସାକିର (୨୧) ଓ ଚୋରି ରୁପା ରଖିଥିବା ସଙ୍ଖାରୀ ସାହିର ଏସ୍‌.ଭରତ କୁମାର ଆଚାରୀ (୨୧)। ଏନେଇ ବଡବଜାର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଘଟଣା ବେଳେ ବ୍ୟବହୃତ କରିଥିବା ଏକ ଲୁହା କଟର, ହାତୁଡି ମଧ୍ୟ ପୋଲିସ ଜବତ କରିଛି। ମାମଲା ନଂ.୧୪୦/୧୯ ଅନୁସାରେ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଯେ, ଏମ୍‌.ଉମାପତି ଆଚାରୀଙ୍କ ଉକ୍ତ ରୁପା ଅଳଙ୍କାର ଦୋକାନରୁ ଗତ ୩୦ ତାରିଖ ରାତିରେ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୭ କେଜି ରୁପା ଅଳଙ୍କାର ଚୋରି କରି ନେଇଥିଲେ। ମାଲିକ ଉମାପତି ଏନେଇ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ପ୍ରଥମେ ଜି.ମୁରଲୀଙ୍କୁ ଧରି ଜେରା କରିଥିଲା। ପରେ ସେ ଶେଖ ସାକିରଙ୍କ ସହାୟତାରେ ଉକ୍ତ ଅଳଙ୍କାର ଦୋକାନରୁ ରୁପା ଅଳଙ୍କାର ଚୋରି କରି ଭରତ କୁମାର ଆଚାରୀଙ୍କୁ ଦେଇଥିବା ପୋଲିସକୁ କହିଥିଲା। ମୁରଲୀଙ୍କ ବୟାନକୁ ଆଧାର କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଭରତଙ୍କଠାରୁ ୬ କେଜି ରୁପା ଅଳଙ୍କାର ଜବତ କରିଥିଲା ବୋଲି ପୋଲିସ କହିଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସ୍‌ଡିିପିଓ ବିଷ୍ଣୁପ୍ରସାଦ ପତି ଓ ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଉପସ୍ଥିତ ଥିଲେ।