ରାୟଗଡ଼ାରେ କରୋନା ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ସ୍ଥିତି ପରଖିଲେ ଉପଜିଲାପାଳ

ରାୟଗଡ଼ା ଅଫିସ,୪ା୬: ରାୟଗଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହରର ଆର୍‌କେ ନଗର ଓ ଓଡ଼ଗୁଡାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇ ଶଟ୍‌ଡାଉନ୍‌ କରାଯାଇଛି। ଏହିସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ରାୟଗଡ଼ା ଜିଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସକାଳେ ଉପଜିଲାପାଳ, ତହସିଲଦାର ଉମାଶଙ୍କର ବେହେରାଙ୍କ ସହିତ ସ୍ଥାନୀୟ ଆର୍‌କେ ନଗର ଓ ଓଡ଼ଗୁଡା ଗ୍ରାମକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏହା ସହିତ ବିଶୋଧନ ଓ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ଉପରେ ପର୍ଯ୍ୟବେକ୍ଷଣ କରିଥିଲେ। ଯୋଗାଣ ବିଭାଗ ପକ୍ଷରୁ ଚାଉଳ, ଡାଲି, ପିଆଜ, ଆଳୁ,ତେଲ, ଲୁଣ ଆଦି ୫୦ ପରିବାରକୁ ଦିଆଯାଇଛି।