ରାସ୍ତା ପାଲଟିଛି ଦୁର୍ଗମ: ଖମ୍ବ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

ବାଲିଆପାଳ, ୨୭ା୮(ଡି.ଏନ.ଏ.)-ବାଲିଆପାଳ ବ୍ଲକ ବଡାଶ ପଞ୍ଚାୟତ ଜଗାଇ ହାକାଣ୍ଡ ପୋଖରୀରୁ ମାଣିକ ସିମୁଳିଆସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ(ବିନ୍ଦୁ ଧର୍ମ)ଆଶ୍ରମ ପର୍ଯ୍ୟନ୍ତ ରାସ୍ତା ଦୁର୍ଗମ ହୋଇପଡିଛି। ଫଳରେ ଏହି ରାସ୍ତାରେ ଚାରିଚକିଆ ଯାନବାହନ ଚଳାଚଳକୁ ଗ୍ରାମବାସୀ ରାସ୍ତାରେ ଖମ୍ବ ପୋତି ବନ୍ଦ କରିଦେଇଛନ୍ତି ।

ଗ୍ରାମ ଉନ୍ନୟନ ବିଭାଗର ୧ କି.ମି. ଦୂର ଏହି ରାସ୍ତା ଏବେ ପାଣି କାଦୁଅରେ ପଚ ପଚ ହେଉଛି । ରାସ୍ତାର ଅନେକ ଜାଗାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହିଛି । ଫଳରେ ମାଟି କାଦୁଅ ଭର୍ତ୍ତି ଏହି ରାସ୍ତାରେ ଯାତାୟାତ କରିବା କଷ୍ଟସାଧ୍ୟ ହୋଇଛି । ଏପରିକି ପାଦରେ ଚାଲି କରି ଯିବା କଷ୍ଟକର ହୋଇଛି। ଛୋଟ ଛୋଟ ସ୍କୁଲ ପିଲା ଓ ବୟସ୍କ ଲୋକମାନେ ଏବେ ବର୍ଷା ଯୋଗୁ ରାସ୍ତାରେ ଯାଆସ କରିପାରୁନାହାନ୍ତି। ସେବା କେନ୍ଦ୍ରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ହାକାଣ୍ଡ ପୋଖରୀ ପାଖରେ ସେମାନଙ୍କ ଗାଡି ରଖି ପାଣି ଓ କାଦୁଅରେ ଚାଲି ଚାଲି ଆସୁଛନ୍ତି । ଆଶ୍ରମର ଭକ୍ତମାନେ ପ୍ରାତଃ ଓ ସାନ୍ଧ୍ୟ ପ୍ରାର୍ଥନାସଭାକୁ ମଧ୍ୟ ଯିବାକୁ ପ୍ରମାଦ ଗଣୁଛନ୍ତି । ଆଶ୍ରମର ଭକ୍ତମାନେ ଓ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଜିଲାପାଳ, ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏମ୍‌ପି, ବିଧାୟକ ପ୍ରମୁଖଙ୍କୁ ବାରମ୍ବାର ଜଣାଇ ଏବେ ନିରାଶ ହୋଇ ବସିଛନ୍ତି। ସେମାନଙ୍କ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକି ରହିଛି । ଚଳିତବର୍ଷ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଆଶ୍ରମର ଭକ୍ତମାନେ ଓ ଗ୍ରାମବାସୀ ରାସ୍ତାରେ ପାଣି କାଦୁଅକୁ ଦେଖି ଚାରିଚକିଆ ଯାନ ଗାଁ ଭିତରକୁ ପଶିବାକୁ ଦେଉନାହାନ୍ତି । ରାସ୍ତାରେ ସେମାନେ ଖୁମ୍ବ ପୋତି ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ଦେଶ ସ୍ବାଧୀନ ହେବାଠୁ ୭୦ ବର୍ଷ ଅତିକ୍ରାନ୍ତ ହୋଇଥିଲେ ବି ଏଭଳି ଦୁର୍ଗମ ରାସ୍ତା ଜନପ୍ରତିନିଧିମାନଙ୍କର ଦୃଷ୍ଟିଗୋଚରକୁ ନ ଆସିବା ପରିତାପର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଜନୈତିକ ବାଛବିଚାର ଯୋଗୁ ଏହି ରାସ୍ତାର ପ୍ରଶସ୍ତୀକରଣ ହେଉନାହିଁ ବୋଲି କେତେଜଣ ବୟସ୍କ ଗ୍ରାମବାସୀ କହିଛନ୍ତି । ରାସ୍ତା ବନ୍ଦ ଯୋଗୁ ୧୦୨ ଓ ୧୦୮ ଗାଡି ଗାଁ ଭିତରକୁ ନ ଯାଇ ପ୍ରାୟ ୧ କି.ମି. ବ୍ୟବଧାନରେ ରହୁଛି। ଫଳରେ ପ୍ରସୂତି ଓ ସେମାନଙ୍କର ଅଭିଭାବକମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଜିଲାପାଳ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଓ ଆଶ୍ରମର ଅନ୍ତେବାସୀ ଦାବି କରିଛନ୍ତି ।