ରାସ୍ତା ଦୁର୍ଘଟଣାରେ ଯୁବ ବ୍ୟବସାୟୀ ମୃତ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): ରାମଚନ୍ଦ୍ରପୁର ଥାନା ୨୦ ନଂ ଜାତୀୟ ରାଜପଥର ପଦନା ହାଟ ନିକଟରେ ରାସ୍ତା ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ବ୍ୟବସାୟୀ ଜଣଙ୍କ ଘସିପୁରା ଥାନା ଆନନ୍ଦପୁର ପୌରପରିଷଦ ଖପରାଖାଇ ୧୩ ନଂ ଓାର୍ଡର ସୁଦର୍ଶନ ନାୟକ। ଶୁକ୍ରବାର ମଧ୍ୟାହ୍ନ ସମୟରେ ଯାଜପୁରରୁ ଜିନିଷ ଆଣି ଫେରୁଥିବା ସମୟରେ ପଦନା ହାଟ ନିକଟରେ ଏକ ଟ୍ରକ ସହିତ ତାଙ୍କର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ପ୍ରଥମେ ସାଇଁକୁଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ମୃତ ଯୁବ ବ୍ୟବସାୟୀ ଜଣଙ୍କ ଜଗତପୁର ଅଞ୍ଚଳର ହୋଇଥିବାବେଳେ ସେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ହେବ ଆନନ୍ଦପୁରରେ ରହି ବ୍ୟବସାୟ କରି ଆସୁଥିଲେ। ତାଙ୍କର ଏଭଳି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।